ପୁରୀ: ତିନିଦିନ ପରେ ପୁରୀ ଶ୍ରୀମନ୍ଦିରର ଅନ୍ଧକାର ଦୂରହୋଇଛି। ପୁଣିଥରେ ଶ୍ରୀମନ୍ଦିର ଆଲୋକୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ପୁଣିଥରେ ନୀଳଚକ୍ର, କୁରୁମ ବେଢ଼ା ଆଦି ଉଜ୍ଜ୍ବଳ ଆଲୋକରେ ଝଲସିଛି। ଦିଲ୍ଲୀ ସଂସ୍ଥା ବଦଳରେ ଏଥର ଓଡ଼ିଶାର ଏକ ଇଭେଣ୍ଟ୍‌ ସଂସ୍ଥାକୁ ଏହି ଦାୟିତ୍ବ ଦିଆଯାଇଛି। ଅପରପକ୍ଷେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅବଗତ ନ କରି ଆଲୋକୀକରଣ ପାଇଁ ଲାଗିଥିବା ଲାଇଟ୍‌, ତାର ଆଦି ଖୋଲିନେବା ଅଭିଯୋଗରେ ସିଂହଦ୍ବାର ଥାନା ଦିଲ୍ଲୀ ଇଭେଣ୍ଟ ସଂସ୍ଥାର ୪ଜଣଙ୍କୁ ଅଟକ ରଖିଛି। ‘ଶ୍ରୀମନ୍ଦିର ଅନ୍ଧକାର’ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏଥିରେ ହସ୍ତକ୍ଷେପ କରିଛନ୍ତି। କେଉଁ କାରଣରୁ ଶ୍ରୀମନ୍ଦିରକୁ ଅନ୍ଧକାର କରାଗଲା ଓ ଲାଇଟ୍‌ ଖୋଲି ନିଆଗଲା, ସେ ଉପରେ ଆଜି ପୁରୀ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଇନ ସଚିବ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ପିନାକ ମିଶ୍ର, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ବୈଠକ କରି ସମୀକ୍ଷା କରିଛନ୍ତି। ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଭୁବନେଶ୍ବରର ଏକ ଇଭେଣ୍ଟ୍‌ ସଂସ୍ଥାକୁ ଏହି ଦାୟିତ୍ବ ଦେଇଛି। ଓଡ଼ିଶାର ଏହି ଇଭେଣ୍ଟ୍‌ ସଂସ୍ଥା ଆଜି ଚାରିଦ୍ବାରରେ ଫୋକସିଂ ଲାଇଟ୍‌ ଲଗାଇବା ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ବାରରୁ ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯାଉଛି। ସମ୍ପୂର୍ଣ୍ଣ ଲାଇଟ୍‌ ଲାଗିବା ପରେ ଚତୁଃପାର୍ଶ୍ବରୁ ଶ୍ରୀମନ୍ଦିର, ଶ୍ରୀମନ୍ଦିର ନୀଳଚକ୍ର, ପତିତପାବନ ବାନା ବହୁ ଦୂରରୁ ବି ସ୍ପଷ୍ଟ ଦୃଶ୍ୟମାନ ହେବ।

Advertisment

ଦିଲ୍ଲୀ ସଂସ୍ଥାର ୪ ଅଟକ
ସଂସ୍ଥା ନାଁରେ ନିଜ ଆଡ଼ୁ ମାମଲା ରୁଜୁ କଲା ପୁଲିସ
ବୁଦ୍ଧିଜୀବୀଙ୍କ ପକ୍ଷରୁ ବି ମାମଲା

ଏସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଗଣମାଧ୍ୟମକୁ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ବଡ଼ଦାଣ୍ଡ ଆଦି ଆଲୋକୀକରଣ କରାଯାଇଥିଲା। ଶ୍ରୀମନ୍ଦିର ଉପରେ ଫୋକସିଂ ଲାଇଟ୍‌ ସବୁ ପଡ଼ୁଥିଲା। ପ୍ରାଥମିକ ଅନୁସନ୍ଧାନରୁ ଦିଲ୍ଲୀର ଏକ ଘରୋଇ ଇଭେଣ୍ଟ ସଂସ୍ଥା ଏହି ଆଲୋକୀକରଣ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଏ ଦିଗରେ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ବି ଆରମ୍ଭ ହୋଇଛି। ସମ୍ପୃକ୍ତ ଇଭେଣ୍ଟ୍‌ ସଂସ୍ଥାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। କେଉଁ ପରିସ୍ଥିତିରେ ଓ କାହା ଅନୁମତିରେ ସେ ଲାଇଟ୍‌ ଖୋଲି ନେଇଗଲେ, ତାର ଅନୁସନ୍ଧାନ ଜାରିରହିଛି। ଲାଇଟ୍‌ ଖୋଲିନେବା ଅଭିଯୋଗରେ ଇଭେଣ୍ଟ୍‌ ସଂସ୍ଥାର ୪ଜଣଙ୍କୁ ବି ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି। ଅପରପକ୍ଷେ ଦିଲ୍ଲୀର ଇଭେଣ୍ଟ୍‌ ସଂସ୍ଥା ନାଁରେ ପୁଲିସ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ସଚେତନ ନାଗରିକ ମଞ୍ଚ ବି ସିଂହଦ୍ବାର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛି। ଯେଉଁମାନେ ଲାଇଟ୍‌ ଖୋଲିବା ଭଳି ହୀନ ଚକ୍ରାନ୍ତ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।