ରାଉରକେଲା: ଦିନକ ପରେ ଅର୍ଥାତ୍ ୨୨ରେ ଅଯୋଦ୍ଧାରେ ପ୍ରଭୁ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ। ଏହି ଦିନକୁ ସ୍ମରଣୀୟ କରିବାକୁ ଗାଁଠୁ ସହର ପର୍ଯ୍ୟନ୍ତ ଚାଲିଛି ଜୋରଦାର ପ୍ରସ୍ତୁତି। ସବୁଠୁ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏଥିରୁ ବାଦ୍ ପଡ଼ିନି ସ୍ମାର୍ଟସିଟି ରାଉରକେଲା। ନୂଆ ରୂପରେ ସଜେଇ ହୋଇଛି ପୁରା ସହର। ବସ୍ତିରୁ କଲୋନି ପର୍ଯ୍ୟସ୍ତ ସବୁଠି ଉତ୍ସବର ମାହୋଲ। ସହରର ପ୍ରବେଶ ପଥ ପାନପୋଷ ଗାନ୍ଧିଛକରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି। ସହରସାରା ଛାଇଯାଇଛି ରାମଙ୍କ ଝଣ୍ଡା। ଉଦିତନଗର ଆମ୍ବେଦକର ଛକରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ରାଉରକେଲା ମୁଖ୍ୟ ମାର୍କେଟ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲମଲ୍ କରୁଛନ୍ତି। ପ୍ରାୟ ଅଧିକାଂଶ ବ୍ୟବସାୟୀ ନିଜ ଦୋକାନ ସମ୍ମୁଖକୁ ଫୁଲରେ ସଜ୍ଜିତ କରିଛନ୍ତି। ନିଜ ନିଜ ଦୋକାନ ଆଗରେ ଅଯୋଦ୍ଧାର ରାମମନ୍ଦିର ଓ ରାମସୀତାଙ୍କ ଫଟୋ ଲଗାଇବା ସହ ଫୁଲରେ ସଜ୍ଜିତ କରିଛନ୍ତି।
ଶନିବାରଠୁ ସହରର କିଛି ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ରାମଙ୍କ ଭଜନ ପରିବେଷଣ ହେଉଛି। ଡେଲିମାର୍କେଟ ରାମଙ୍କ ଟୋପି, ଝଣ୍ଡା, ବ୍ୟାଣ୍ଡ, ଲକେଟ୍, ଦୀପ ଆଦି ବିକ୍ରି ହେଉଥିବା ଦୋକାନ ଆଗରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍) ଓ ବିଜେପି ପକ୍ଷରୁ ବିଭିନ୍ନ ମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରାୟ ସମସ୍ତ ଛୋଟବଡ ମନ୍ଦିରରେ ସଂକୀର୍ତ୍ତନ ସହ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହି ଦିନ ସହରରେ ଶାନ୍ତିଶୃ୍ଙ୍ଖଳା ବଜାୟ ରଖିବାକୁ ପ୍ଲାଣ୍ଟସାଇଟ୍ ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ବସିଥିଲା। ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧି ଯୋଗଦେଇଥିଲେ।
ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି। ସମସ୍ତଙ୍କୁ ଶାନ୍ତିଶୃଙ୍ଖଳାର ସହ ପ୍ରାଣପ୍ରତିଷ୍ଠା ଦିବସକୁ ପାଳନ କରିବାକୁ ପୁଲିସ ଅଧିକାରୀ ବୈଠକରେ ଉପସ୍ଥିତ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ଏଥିସହ ସହରର ପ୍ରମୁଖ ଛକ ଓ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯିବ। ସେପଟେ ହନୁମାନ ବାଟିକା ପରିସରରେ ଜଳିବ ବଡ ଦୀପ । ନିର୍ମାଣ ସରିଥିବା ଦୀପକୁ ଆଜି ଟ୍ରଲରରେ ରଖାଯାଇଛି। ଆସନ୍ତାକାଲି (ରବିବାର) ଏହି ଦୀପ ସହରର ପରିକ୍ରମା କରିବା ସହ ଘିଅ ସଂଗ୍ରହ କରିବ। ଦୀପରେ ପ୍ରାୟ ସାଢ଼େ ୬ ହଜାର ଲିଟର ଓମ୍ଫେଡ୍ ଘିଅ ଲାଗିବ। ପର ଦିନ ଅର୍ଥାତ୍ ୨୨ରେ ହନୁମାନବାଟିକା ପରିସରସ୍ଥ ରାମସୀତା ମନ୍ଦିର ସମ୍ମୁଖରେ ଦୀପକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ପ୍ରଜଳ୍ବନ କରିବେ। ଏଥି ସହ ହନୁମାନ ଚାଳିସା ପାଠ କରାଯିବ। ଦୀପ ପ୍ରଜ୍ବଳନ ପୂର୍ବରୁ ହକି ଷ୍ଟାଡିୟମର ୧ ନଂ ଗେଟ୍ରୁ ୨ କି.ମି. ତ୍ରିରଙ୍ଗା ଓ ଦୀପକୁ ନେଇ ବିରାଟ ଶୋଭାଯାତ୍ରା ବାହାରି ହନୁବାନ ବାଟିକାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏତଦ୍ଭିନ୍ନ ସହରର ବିଭିନ୍ନ ସ୍ଥାନରେ ରହିଥିବା ହନୁମାନ ଓ ରାମସୀତା ମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି।