ବାଲେଶ୍ବର: ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାପରେ ପୁଲିସ ଓ ପ୍ରଶାସନର ହଠାତ୍‌ ତତ୍ପରତା ଦେଖିବାକୁ ମିଳିଥିଲା।  ମାତ୍ର ୩/୪ ଦିନ ପରେ ସବୁକିଛି ଶିଥିଳ ପଡ଼ିଯାଇଛି। ଫଳସ୍ବରୂପ ଗ୍ରାମାଞ୍ଚଳ ସହ ବାଲେଶ୍ବର ସଦର ମହକୁମାରେ ମଧ୍ୟ ବେଧଡ଼କ ଲଘୁ ଖଣିଜ ଲୁଟ୍‌ ଚାଲିଛି। ବାଲେଶ୍ବର ସହର ଉପକଣ୍ଠରୁ ସହରକୁ ବେଆଇନ ଭାବେ ଦୈନିକ ଶହଶହ ଟ୍ରିପ୍‌ ମାଟି ଚାଲାଣ ହେଉଛି। ପୁଲିସ ଓ ପ୍ରଶାସନର ନାକତଳେ ଏହି କାରବାର ଚାଲିଛି।  

Advertisment

ସୂଚନା ଅନୁସାରେ ବାଲେଶ୍ବର ସହରର ବାଲିଘାଟ ଠାରୁ ମାତ୍ର ୩/୪ କିଲୋମିଟର ଦୂର ବଇଁଚା, ସିନ୍ଧିଆ, ଗୋପୀନାଥପୁର ପଞ୍ଚାୟତ ଏପଟେ ମେଣ୍ଢାଶୋଳ, କରଞ୍ଜିଆ, କୁରୁଡ଼ା, ଦହପଡ଼ା, ପାତ୍ରପଡ଼ା, ରସାଳପୁର, ବର୍ଦ୍ଧନପୁର ଆଦି ବିଭିନ୍ନ ଅଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲ, ଶ୍ମଶାନ, ଅବ୍ୟବହୃତ ପଡ଼ିଆ ତଥା ସରକାରୀ ଏବଂ ଘରୋଇ ଜମିଗୁଡ଼ିକରୁ ଦିନରାତି ଭୁଲ୍‌ ନମ୍ବର ଓ ନମ୍ବର ନଥିବା ଜେସିବି ମେସିନ୍‌ ଓ ଟ୍ରାକ୍ଟର ସହାୟତାରେ ଶହଶହ ଟ୍ରିପ୍‌ ମାଟି ଉଠାଯାଇ ବାଲେଶ୍ବର ସହରର ବିଭିନ୍ନ ଅଞ୍ଚଳକୁ ଅଣାଯାଉଛି। ଏଥିସହ ମାଟି ଆଣିବା ବେଳେ ସହର ରାସ୍ତାରେ ‌ଟ୍ରାକ୍ଟରଗୁଡ଼ିକ ବେପରୁଆ ଭାବେ ଚଳାଚଳ କରୁଥିବାରୁ ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ପ୍ରାୟ ୧୦ ଦିନ ପୂର୍ବରୁ ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ସଦର ତହସିଲଦାର ଅଶ୍ବିନୀ କୁମାର ନାୟକ, ଜିଲ୍ଲା ଜରୁରିକାଳୀନ ଅଧିକାରୀ ସାଇକୃଷ୍ଣ ଜେନା ଟାଉନ ଥାନା ଓ ସଦର ପୁଲିସ ସହଯୋଗରେ ବାଲିଘାଟ ପୋଲ ଉପରେ ବିଳମ୍ବିତ ରାତି ଯାଏଁ ଜଗି ରହିଥିଲେ। ହେଲେ ମାଫିଆମାନେ କୌଣସି ସୂତ୍ରରୁ ଏ ସମ୍ପର୍କରେ ଖବର ପାଇ ସତର୍କ ହୋଇଯିବାରୁ ଅଭିଯାନ ‌ବିଫଳ ହୋଇଥିଲା।

ମାଫିଆଙ୍କ ସହ ମଧୁଚନ୍ଦ୍ରିକା
ନିଶ୍ଚିହ୍ନ ‌ହୋଇଗଲାଣି ସରକାରୀ ଓ ଘରୋଇ ଜମି

ଏନେଇ ଉପଜିଲ୍ଲାପାଳ ଶ୍ରୀ ରାଜସିର୍କେ ପ୍ରତିକ୍ରିୟା ରଖିଥିଲେ, କୌଣସି ପ୍ରକାର ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ କିମ୍ବା ଚାଲାଣକୁ ପ୍ରଶାସନ ଆଦୌ ବରଦାସ୍ତ କରିବ ନାହିଁ। ଏହି ଚଢ଼ଉ ଲଗାତାର ଜାରି ରହିବ ଏବଂ ମାଫିଆମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାଏକ ମଧ୍ୟ ମାର୍ଚ୍ଚ ୧୦ ତାରିଖରେ ଲଘୁଖଣିଜ ଲୁଟ୍‌ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହା ଉପରେ ପୁଲିସ କଡ଼ା ନଜର ରଖିଥିବା ପ୍ରତିକ୍ରିୟା ରଖିଥିଲେ। ହେଲେ ସହର ଉପକଣ୍ଠରେ ପୁଲିସ ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ମାଫିଆଙ୍କ ଉପରେ ତିଳେମାତ୍ର ପ୍ରଭାବ ପକାଇ ନଥିବା ଜଣାପଡ଼ିଛି। ସାଧାରଣ ଲୋକଟିଏ ଘର କଲେ ଆବଶ୍ୟକ ବାଲି କିମ୍ବା ମାଟି ଆଣିବା ପାଇଁ ରାଜସ୍ୱ ବିଭାଗଠାରୁ ଅନୁମତି ଆଣିବାକୁ ପଡ଼ୁଛି ଅନ୍ୟଥା ଜରିମାନା ଗଣୁଛନ୍ତି। ହେ‌ଲେ ମାଫିଆମାନେ ପ୍ରଶା‌ସନ ନାକ ତଳେ ବେଆଇନ ଭାବେ ଶହଶହ ଟ୍ରିପ୍‌ ମାଟି ଓ ବାଲି କିଭଳି ଚୋରା ଚାଲାଣ କରୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।