ଯାଜପୁର: ଲଘୁ ଖଣିଜ ଦ୍ରବ୍ୟ ଲୁଟ୍କୁ ନେଇ ଏବେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଗତ ଶୁକ୍ରବାର ଦିନ ସମସ୍ତ ଜିଲ୍ଲାପାଳ, ଏସ୍ପିଙ୍କ ସହିତ ଆଲୋଚନା କରି ଚଢ଼ଉକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଇ-ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଅନୁମତି ନ ଦେବା ପାଇଁ କହିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ପରେ ଏବେ ଇ-ଟ୍ରାନ୍ଜିଟ୍ ପାସ୍ ବା ଟିପି କଥା ସାମନାକୁ ଆସିଛି। ରାଜ୍ୟରେ ଟିପି ବା ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇପାରିବ ନାହିଁ। ବିନା ଟିପିରେ ପରିବହନ ହେଉଥିବା ଖଣିଜ ଦ୍ରବ୍ୟ ବେଆଇନ ବୋଲି ବିଚାର କରାଯିବ। ଏପରିକି ବିନା ଟିପିରେ କିଣାଯାଇ ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟବହାର ହେଉଥିବା ଖଣିଜ ଦ୍ରବ୍ୟକୁ ମଧ୍ୟ ଚୋରି ଦ୍ରବ୍ୟ ଭାବେ ବିଚାର କରାଯିବ। ଟିପି ପାସ ଜମା କରିନଥିଲେ ସଂପୃକ୍ତ ଠିକାଦାର ବା ଏଜେନ୍ସିଙ୍କ ବିଲ୍ ପାସ୍ ହେବନାହିଁ। ଏଭଳି କଡ଼ା ନିୟମ ବହୁ ପୂର୍ବରୁ ରହିଛି।
ଏହା ସତ୍ତ୍ବେ ବିନା ଟିପିରେ ଯାଜପୁର-କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣି ଖାଦାନରୁ ମାସକୁ ପାଖାପାଖି ୨୦୦ କୋଟିରୁ ଅଧିକ ଟଙ୍କାର ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଛି। ଏହିସବୁ ଲଘୁ ଖଣିଜ ଦ୍ରବ୍ୟ ବିଭିନ୍ନ ପ୍ରକଳ୍ପରେ ବ୍ୟବହାର ହେଉଛି। ଟ୍ରାନ୍ଜିଟ୍ ପାସ କଡ଼ାକଡ଼ି ହେଲେ ସରକାରୀ ଅଧିକାରୀଙ୍କ ପକେଟ୍ ଖର୍ଚ୍ଚ କମିଯିବାର ଭୟ ଥିବାରୁ ବର୍ଷବର୍ଷ ଧରି ଏହି ନିୟମକୁ ଲାଗୁ କରିବାକୁ ଦିଆଯାଇନାହିଁ। ଫଳରେ ରାଜ୍ୟରେ କୁବେର ଅଧିକାରୀ, ବାବୁଙ୍କ ସଂଖ୍ୟା ବଢ଼ିଛି। ମାଫିଆ ବି ଶହଶହ କୋଟିର ମାଲିକ ହୋଇ ଲଘୁ ଖଣିଜ ଦ୍ରବ୍ୟ ଚୋରିକୁ ଦ୍ବିଗୁଣ କରୁଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଥମେ ବିଭିନ୍ନ ପ୍ରକଳ୍ପରେ ବିନା ଟିପିରେ ବ୍ୟବହାର ହେଉଥିବା ଠିକାଦାର ଏଜେନ୍ସି ବିଲ୍ ବନ୍ଦ କରାଇଲେ ଏହି ଚୋରି ରୋକା ଯାଇପାରିବ। ଅନ୍ୟପକ୍ଷରେ ବିନା ଟ୍ରାନ୍ଜିଟ୍ ପାସ୍ରେ ଖଣିଜ ଦ୍ରବ୍ୟ ପରିବହନ କରାଯାଉଥିବାରୁ ଓଭରଲୋଡିଂ ପରିବହନ ହେଉଛି। ବିନା ଟ୍ରାନ୍ଜିଟ୍ ପାସ୍ରେ ଯାଜପୁର ଜିଲ୍ଲାର ଧର୍ମଶାଳା ଏବଂ କେନ୍ଦୁଝର ଜିଲ୍ଲାରୁ କଳାପଥର ଚାଲାଣ ହେଉଛି। ସମସ୍ତ କଳାପଥର ବିଭିନ୍ନ ସରକାରୀ ପ୍ରକଳ୍ପ, ରାଜପଥ, ରାଜ୍ୟ ରାଜପଥ, ଗାଁ ରାସ୍ତାରେ ବ୍ୟବହାର ହେଉଛି। ସରକାର ଗୋଟିଏ ପଟେ ସବୁ ନିୟମ କରୁଛନ୍ତି, ଅନ୍ୟପଟେ ମାଫିଆଙ୍କୁ ଲୁଟ୍ ପାଇଁ ଖୋଲା ଛାଡ଼ିଦେଉଛନ୍ତି।
ବାଲି, ଗୋଡ଼ି, ମାଟି, ପଥର ଭଳି ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ରୁ ଖଣି ବିଭାଗର ଅଧିକାରୀ, ତହସିଲଦାର, ତହସିଲ କର୍ମଚାରୀ, ରାଜସ୍ବ ନିରୀକ୍ଷକ, ପୁଲିସ, ସ୍ଥାନୀୟ ରାଜନେତାମାନେ ଏହାର ଅଂଶ(ଭାଗ) ପାଉଛନ୍ତି। ଉପରୁ ତଳ ପର୍ଯ୍ୟନ୍ତ ଏହି ଲୁଟ୍ର ଭାଗ ସମସ୍ତଙ୍କ ପାଖରେ ପହଞ୍ଚୁଥିବାରୁ ନିୟମକୁ କାର୍ଯ୍ୟକାରୀ କରାଇ ଦିଆଯାଉନାହିଁ। କେନ୍ଦୁଝର, ଯାଜପୁର ଭଳି ଅନ୍ୟ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି। ଯାଜପୁର ଜିଲ୍ଲାର ଧର୍ମଶାଳାରୁ ମାସକୁ କେବଳ ୪୦ କୋଟିରୁ ଅଧିକ ଟଙ୍କାର କଳାପଥର ବିନା ଇ-ଟ୍ରାନ୍ଜିଟ୍ରେ ଚାଲାଣ କରାଯାଉଛି। ଏହି ଦ୍ରବ୍ୟ ଖୋଲାଖୋଲି ଭାବେ ସରକାରୀ ପ୍ରକଳ୍ପରେ ବ୍ୟବହାର ହେଉଛି। ଯାହାର ଲାଭ ସରକାରୀ ଅଧିକାରୀ ନେଉଛନ୍ତି। ବିନା ଟିପିରେ ସରକାରୀ ଅଧିକାରୀ, ଯନ୍ତ୍ରୀ କିଭଳି ଠିକାଦାରଙ୍କ ବିଲ୍ ପାସ୍ କରୁଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଟିପି ନିୟମକୁ କଡ଼ାକଡ଼ି କରାଗଲେ ଅଧା ଚୋରି ବନ୍ଦ ହୋଇପାରନ୍ତା। ଅନ୍ୟପକ୍ଷରେ ବେଆଇନ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଗାଡ଼ିକୁ ଯାଞ୍ଚ କରିବା ଓ ଏହାକୁ ଜବତ କରିବାର କ୍ଷମତା ଡିଡିଏମ୍, ତହସିଲଦାର ଓ ସବ୍ ଇନ୍ସପେକ୍ଟରଙ୍କୁ ମଧ୍ୟ ଦିଆଯାଇଛି। ମାତ୍ର ବଟି ପାଇଁ ଖୋଲାଖୋଲି ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଗାଡ଼ିକୁ ଛାଡ଼ି ଦିଆଯାଉଛି। ସମସ୍ତଙ୍କ ଆଖି ସାମନାରେ ଏହି ଲୁଟ୍ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Strip_coal_mining-1.jpg)