ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କେବଳ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକର ଆକାଶ ମେଘାଚ୍ଛନ୍ନ ରହିବ ଓ କିଛି ସ୍ଥାନରେ ହାଲ୍କା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି, ଲଘୁଚାପର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ରହିବ ନାହିଁ। ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଯେଉଁଭଳି ଭାବେ ଏବେ ୧ରୁ ୨ ଡିଗ୍ରି କମ୍ ତାପମାତ୍ରା ରହିଛି ସେହିଭଳି ଭାବେ ହିଁ ରହିବ। ଭୁବନେଶ୍ବର ଓ କଟକରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ପାଖାପାଖି ରହିବ। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ଶୁଖିଲା ପାଗ ରହିଥିଲା। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରି ରେକର୍ଡ ହୋଇଛି। କୋରାପୁଟରେ ୧୪ ଡିଗ୍ରି, ଅନୁଗୁଳରେ ୧୫ ଡିଗ୍ରି, ଫୁଲବାଣୀରେ ୧୫ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମୋଲାଭେ ଦ୍ବାରା ସୃଷ୍ଟ ଲଘୁଚାପ ଆଜି ସଂଧ୍ୟା ବେଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିଲା। ଏହା ମିଆଁମାର୍ ଓ ସଂଲଗ୍ନ ବାଂଲାଦେଶ ଓ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା କରିବ। କିନ୍ତୁ ଓଡ଼ିଶାରେ ଏହା ବର୍ଷା କରାଇବ ନାହିଁ। ସମ୍ଭବତଃ ଆସନ୍ତାକାଲି ରାତିରେ ଏହା ବାଂଲାଦେଶ ଉପକୂଳ ସ୍ପର୍ଶ କରିବ। ଅନ୍ୟପଟେ ପ୍ରଶାନ୍ତ ମହାସାଗରରେ ଆଉ ଏକ ସୁପର ସାଇକ୍ଲୋନ ରହିଛି। ଏହାର ଘଣ୍ଟାପ୍ରତି ପବନର ବେଗ ୨୧୫ କିମି ଓ ଗଷ୍ଟିଂର ବେଗ ୨୬୫ କିମି ରହିଛି। ଏହା ବିଶ୍ବର ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ବାତ୍ୟା। ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଏହା ଫିଲିପାଇନ୍ସ୍ ଅତିକ୍ରମ କରି ୪ ତାରିଖ ରାତି ବା ୫ ତାରିଖ ଭୋରୁ ଭିଏତନାମାର ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ ୮ ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଓ ୯ ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦିଗ ପରିବର୍ତ୍ତନ କରିବ ଓ ମିଆଁମାର୍ର ଉତ୍ତର ଉପକୂଳ ଓ ସଂଲଗ୍ନ ବାଂଲାଦେଶକୁ ମୁହାଁଇବ। ତେବେ ଓଡ଼ିଶାରେ ଏହାର ପ୍ରଭାବର ସମ୍ଭାବନା କମ୍। ତେବେ ୪ ତାରିଖ ଆଡ଼କୁ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ। ରାଜ୍ୟରେ କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ଅପରିବର୍ତିତ ରହିବ। ୪ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଖସିବ। ଫଳରେ ଶୀତ ଅନୁଭୂତ ହେବ। ୮ ତାରିଖ ବେଳକୁ ଉପକୂଳରେ ଥଣ୍ଡା କମିବାର ସମ୍ଭାବନା ରହିଛି।