ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗୁରୁବାର ମଧ୍ୟ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଏହା ପ୍ରଭାବରେ ଆଜି ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଲଘୁଚାପ ସୃଷ୍ଟି ହେବା ପରେ ତାହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୪୮ଘଣ୍ଟା ଅର୍ଥାତ ୮ ତାରିଖ ଦିନ ଅବପାତର ରୂପ ନେବ। ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଏହା କେତେ ଘନୀଭୂତ ହେବ, କେଉଁ ଦିଗରେ ଗତି କରିବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ, ତାହା ଆସନ୍ତାକାଲି ସ୍ପଷ୍ଟ କହି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment

ତେବେ ଏହାକୁ ନେଇ ଲୋକମାନେ ଭୟଭୀତ ନହେବାକୁ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ବାତ୍ୟାର ରୂପ ନେଲେ ବି ଓଡ଼ିଶାରେ ମାଡ଼ ହେବ କି ନାହିଁ, ଓଡ଼ିଶା ଉପରେ ପ୍ରଭାବ ପଡ଼ିବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପାଣିପାଗ ବିଭାଗ ଠିକ୍ ସୂଚନା ପ୍ରଦାନ କରିବ। ଆଜି ସଂଧ୍ୟାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ବିଭିନ୍ନ ବିଭାଗ ‌ସହ ଆଲୋଚନା କରିବା ପରେ ଶ୍ରୀ ଜେନା କହିଛନ୍ତି ଯେ ଯଦି ବାତ୍ୟା ହୁଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୮ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌ ଟିମ୍‌ ସହ ଆଲୋଚନା କରି ସତର୍କ ରହିବାକୁ କୁହାଯାଇଛି।

publive-image Sambad English

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ମେଡିକାଲ ରିଲିଫ୍‌ ସେଣ୍ଟର ସହିତ ମୋବାଇଲ ମେଡିକାଲ ଟିମ୍ ଗଠନ କରିବାକୁ କୁହାଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ୧୮ଟି ଜିଲ୍ଲାର ସିଡିଏମ୍‌ଓମାନଙ୍କୁ ଚିଠି ଜାରି କରାଯାଇଛି।

ଇତିମଧ୍ୟରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ପାରଦ ୪୦ ତଳକୁ ଖସୁ ନାହିଁ। ଆଜି ୪୩ ଡିଗ୍ରି ତାପମାତ୍ରା ସହ ସୋନପୁର ଓ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ଭାବେ ରେକର୍ଡ କରିଛନ୍ତି। ଏହାବ୍ୟତୀତ ରାଜ୍ୟର ୫ ସହର ତାପମାତ୍ରା ୪୨ ଡିଗ୍ରି ଓ ସମୁଦାୟ ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।
ପ୍ରଚଣ୍ଡ ତାତିରେ ରାଜ୍ୟବାସୀ କଲବଲ ହେଉଥିବା ବେଳେ ଅପରାହ୍‌ଣରେ କାଳବୈଶାଖୀ ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରୁଛି। କାଳବୈଶାଖୀ ଯୋଗୁଁ ଉପକୂଳରେ ତାତି ଦିନକୁ ଦିନ ଖସିବାରେ ଲାଗିଛି। ଆଜି ରାଜଧାନୀ ସମେତ ସମଗ୍ର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଓ ଖୋର୍ଧା ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ ସହ ବର୍ଷା ହୋଇଯାଇଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର ବି ଗୋଟିଏ ଦୁଇଟି ସ୍ଥାନରେ କା‌ଳବୈଶାଖୀ ବର୍ଷା ହୋଇଛି। ଫଳରେ ସଂଧ୍ୟା ପରେ ପରିବେଶ ଥଣ୍ଡା ରହିଛି।

ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ‌ବୈଶାଖୀ ନେଇ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଧା ଓ କନ୍ଧମାଳ ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ମଧ୍ୟରେ ରହିବ। ଆଜି ମଧ୍ୟ ଭୁବନେଶ୍ବର ଓ କଟକର ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରି ରହିଥିଲା। ଏଥିସହ ସମଗ୍ର ଉପକୂଳର ତାପମାତ୍ରାରେ ଆଜି ହ୍ରାସ ଘଟିଛି।