ଭୁବନେଶ୍ବର: ଦିନକୁ ଦିନ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିବାରେ ଲାଗିଛି। ଜୁନ୍ ପହିଲାରୁ ଆଜି ମଧ୍ୟରେ ୧୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ବାକି ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ବାଲେଶ୍ବର ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ରହିଛି। ଏଥି ସହ ଆସନ୍ତା ଦୁଇ ଦିନ ମଧ୍ୟରେ ସେଭଳି ବଡ଼ ବର୍ଷାର ସମ୍ଭାବନା ନ ଥିବା ପୂର୍ବାନୁମାନ କରାଯାଇଛି। ୧୧ ତାରିଖଠାରୁ ବର୍ଷା ପରିମାଣ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆଶ୍ବାସନା ଦେଇଛନ୍ତି। ତେବେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ପୁରୀ ଘୋଷଯାତ୍ରାରେ ବର୍ଷାକୁ ନେଇ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି। ପ୍ରବଳ ବର୍ଷା ହେବା ନେଇ ଗତ ସପ୍ତାହରେ ପାଣିପାଗ କେନ୍ଦ୍ର ଆକଳନ କରିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବର୍ଷା ଆଶଙ୍କାରେ ବହୁ ଶ୍ରଦ୍ଧାଳୁ ରଥଯାତ୍ରାଠାରୁ ଦୂରେଇ ରହିଥିଲେ। ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥିଲେ ମଧ୍ୟ ବର୍ଷା ଦେଖିବାକୁ ମିଳି ନାହିଁ। ଶୁଖିଲା ପାଗ ରହିବା ସହ ସୁରୁଖୁରରେ ରଥଯାତ୍ରା ଶେଷ ହୋଇଛି। ଅଳ୍ପ କିଛି ସମୟ ପାଇଁ ଝିପିଝିପି ବର୍ଷା ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଶ୍ରଦ୍ଧାଳୁଙ୍କ ଉପରେ ପଡ଼ି ନ ଥିଲା।
ନିର୍ଦ୍ଦେଶିକା ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମଙ୍ଗଳବାର ସକାଳ ସୁଦ୍ଧା କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପରବର୍ତ୍ତୀ ଦୁଇ ଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାକୁ ଥିବା ବେଳେ ୧୧ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ସେ କହିଛନ୍ତି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ କଟକ ଜିଲ୍ଲା ବାଙ୍କିରେ ୧୭୭ ମିମି ବର୍ଷା ହୋଇଥିବା ବେଳେ କଟକରେ ୪୬.୨, କେନ୍ଦୁଝର ଜିଲ୍ଲାର ଘସିପୁରାରେ ୧୨୦.୩, ଅନନ୍ଦପୁରରେ ୯୧.୪, ଗଞ୍ଜାମର କୁକୁଡ଼ାହାଣ୍ଡିରେ ୭୪, ପୁରୁଷୋତ୍ତମପୁରରେ ୬୨.୮, ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ୭୧ ମିମି ବର୍ଷା ହୋଇଛି।