୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର: ଓଡ଼ିଶାର ୨୪ଟି ଜିଲ୍ଲାକୁ ସ୍ପର୍ଶ କରିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ସାରା ଓଡ଼ିଶା ଛୁଇଁଛି। ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ ବୌଦ୍ଧର କଣ୍ଟାମାଳରେ ୧୦୮ ମିମି, ହରଭଙ୍ଗାରେ ୭୪, କଳାହାଣ୍ଡି‌ର ଥୁଆମୂଳ ରାମପୁରରେ ୧୦୨, କୋକସରାରେ ୬୦, ଗୋଲମୁଣ୍ଡାରେ ୬୦, କଟକର ମହାଙ୍ଗା ଓ କଣ୍ଟାପଡ଼ାରେ ୯୪, ଜଗତ୍‌ସିଂହପୁରରେ ୬୯.୧, ରାଉରକେଲାରେ ୬୫.୨, ଖୋର୍ଦ୍ଧାରେ ୬୫, ରାୟଗଡ଼ାରେ ୬୦ ମିମି ବର୍ଷା ହୋଇଛି। ଆଜି ଦିନ ସମୟରେ ଫୁଲବାଣୀରେ ୫୧ ମିମି, ନବରଙ୍ଗପୁରରେ ୨୮, ଖୋର୍ଦ୍ଧାରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି। ମେଘୁଆ ପାଗ ଯୋଗୁଁ ସବୁଠି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। କୋରାପୁଟ, ଫୁଲବାଣୀ, ଦାରିଙ୍ଗବାଡ଼ି, ନବରଙ୍ଗପୁର ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସିଛି।

ସେପଟେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗିରହିଛି। ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୮୩.୬ ମିମି ବର୍ଷା ହେବା କଥା। ମାତ୍ର ସେହି ଅନୁଯାୟୀ ବର୍ଷା ହୋଇପାରି ନାହିଁ। ୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେଥିମଧ୍ୟରୁ ୫ଟି ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ପୁରୀରେ ସର୍ବାଧିକ ୭୧% ନିଅଣ୍ଟିଆ ହୋଇଥିବା ବେଳେ ମୟୂରଭଞ୍ଜରେ ୬୮%, ବାଲେଶ୍ବରରେ ୬୩%, ବଲାଙ୍ଗୀରରେ ୬୧% ଓ କେନ୍ଦୁଝରରେ ୬୦% ନିଅଣ୍ଟିଆ ରହିଛି। ୮ଟି ଜିଲ୍ଲା ଯଥା ନୂଆପଡ଼ା, ସମ୍ବଲପୁର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଢେଙ୍କାନାଳ, କଟକ ଓ ଜଗତ୍‌ସିଂହପୁର ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ବାକି ୧୭ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରବିବାର ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ‌ହୋଇପାରେ। ୨୪ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମିବ ଏବଂ ୨୫ ତାରିଖରୁ ପୁଣି ବଢ଼ିବ। ‌‌ତେବେ ୨୬ ତାରିଖରେ ଗଞ୍ଜାମ, ଗଜପତି ଓ କନ୍ଧମଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧିତ ଖବର