୧୫ ଯାଏ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଆଜି ସୃଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୬ ଘଣ୍ଟା ଅର୍ଥାତ ବୁଧୁବାର ରାତିରେ ଏହା ଅବପାତରେ ପରିଣତ ହୋଇ ତାମିଲନାଡ଼ୁ ମୁହାଁ ହେଉଛି। ୧୧ ତାରିଖ ସନ୍ଧ୍ୟା ବେଳକୁ ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଦ୍ର ପ୍ରଦେଶ ସଂଲଗ୍ନ କରାଇକଲ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ପୁରୀ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ୧୪ ଓ ୧୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବା ସହ ଉପକୂଳରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ମଙ୍ଗଳବାର ରାତିରେ ରାଜ୍ୟର ୬ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ୧୧ ଡିଗ୍ରି ସହ ବୁଧବାର ବି ଦାରିଙ୍ଗବାଡ଼ି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏହାବ୍ୟତୀତ ଫୁଲବାଣୀରେ ୧୩.୨, ଟିଟଲାଗଡ଼ରେ ୧୪.୫, ଝାରସୁଗୁଡାରେ ୧୪.୬, କେନ୍ଦୁଝରରେ ୧୪ .୮ ଓ ସୋନପୁରରେ ରାତିର ତାପମାତ୍ରା ୧୪.୯ ଡିଗ୍ରି ରହିଥିଲା। ଭୁବନେଶ୍ବରରେ ୧୮.୫ ଓ କଟକରେ ୧୮.୪ ଡିଗ୍ରି ଥିଲା। ଆଗାମୀ ୨୪ ଘଣ୍ଟା ପରେ ରାତିର ତାପପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ସହ ଶୀତର ପ୍ରଭାବ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର