ତାତିରୁ ଆଶ୍ୱସ୍ତି: ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିଛି କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ ସମ୍ଭାବନା

ଭୁବନେଶ୍ୱର: ବିଗତ ପାଞ୍ଚ ଦିନ ଧରି ରାଜ୍ୟରେ ଲାଗିରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଜି କିଛିଟା ଉନ୍ନତି ଘଟିଛି। ଆଜି ସୂର୍ଯ୍ୟଙ୍କର କିରଣ ଓ ତାପ ଏତେଟା ପ୍ରଖର ନଥିବା ସହ ବାୟୁର ଦିଗ ପରିବର୍ତ୍ତନ ହୋଇଥିବା କାରଣରୁ ରାଜ୍ୟ ମଧ୍ୟକୁ ଝାଞ୍ଜି ପବନ ପ୍ରବାହିତ ହେଉନାହିଁ। ଏବେ ରାଜ୍ୟକୁ ଗ୍ରୀଷ୍ମପ୍ରବାହ ଭୟ ନଥିବା ବେଳେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବର୍ଷା ସହ କାଳବୈଶାଖୀ ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଅପରାହ୍ନ ଠାରୁ ୪ ତାରଖ (ରବିବାର) ମଧ୍ୟାହ୍ନ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ଜିଲ୍ଲାରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ନେଇ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଜାରି ସତର୍କ ସୂଚନା ଅନୁଯାୟୀ ଆଜି (ଶୁକ୍ରବାର) ଅପରାହ୍ନ ଠାରୁ ଆସନ୍ତାକାଲି (ଶନିବାର) ମଧ୍ୟାହ୍ନ ମଧ୍ୟରେ ରାଜ୍ୟର କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ଏହି ସମୟ ମଧ୍ୟରେ ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହି କାଳବୈଶାଖୀ ସହ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଥିବାରୁ ଏହି ୫ଟି ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ସେହିପରି ୩ ତାରିଖ, ଶନିବାର ଅପରାହ୍ନରୁ ୪ ତାରଖ, ରବିବାର ମଧ୍ୟାହ୍ନ ମଧ୍ୟରେ କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ଏହି ସମୟ ମଧ୍ୟରେ କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହି କାଳବୈଶାଖୀ ସହ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପକ୍ଷରେ ୪ ତାରିଖ, ରବିବାର ଅପରାହ୍ନରୁ ୫ ତାରଖ, ସୋମବାର ମଧ୍ୟାହ୍ନ ମଧ୍ୟରେ ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ନୟାଗଡ଼, କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ, କନ୍ଧମାଳ, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହି କାଳବୈଶାଖୀ ସହ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ସମ୍ବନ୍ଧିତ ଖବର