ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା, ବଜ୍ରପାତ ସହ ରହିଛି ଘନ କୁହୁଡ଼ିର ସମ୍ଭାବନା

ଭୁବନେଶ୍ୱର: ମରାଠଓ୍ଵାଡ଼ା ଏବଂ ଏହାର ପଡ଼ୋଶୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ତିନି ଦିନ ଅର୍ଥାତ୍‌ ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଏଥିସହ ଏହି ସମୟ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତ୍ରରୁ ବିଳମ୍ବିତ ପ୍ରତ୍ୟୁଷ ପର୍ଯ୍ୟନ୍ତ ଘନ କୁହୁଡ଼ି ପଡ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଆଜି (ଶୁକ୍ରବାର) ରାତିରୁ ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି।

ସେହିପରି ଏହି ସମୟ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, ସୋନପୁର, ବୌଦ୍ଧ, ବରଗଡ଼ ଓ ଭଦ୍ରକ ଜିଲ୍ଲା ଉପରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ତେବେ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ସମେତ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲା ଉପରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

୩୧ ତାରଖ ଅପରାହ୍ନ ସୁଦ୍ଧା ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଜିଲ୍ଲା ଉପରେ କିଛି ସ୍ଥାନରେ ସାମାନ୍ୟ କୁହୁଡ଼ି ହେବାର ସମ୍ଭାବନା ଅଛି। କିନ୍ତୁ, ଜଗତସିଂହପୁର, ମୟୂରଭଞ୍ଜ, ଢ଼େଙ୍କାନାଳ, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଜିଲ୍ଲା ଉପରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ଫେବ୍ରୁଆରି ୧ ତାରଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା, ଜିଲ୍ଲା ଉପରେ ଘନ କୁହୁଡି ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ବିଲମ୍ବିତ ରାତ୍ରୀରୁ ପ୍ରତ୍ୟୁଷ ପର୍ଯ୍ୟନ୍ତ ଘନ କୁହୁଡ଼ି ପଡ଼ିବାକୁ ଥିବା ଦୃଷ୍ଟିରୁ ଯାନବାହନ ଚଳାଚଳ ସମୟରେ ଯଥେଷ୍ଟ ସତର୍କ ରହିବା ପାଇଁ ଏଦିଗରେ ସଜାଗ ରହିବାକୁ ପରିବହନ ଓ ପୁଲିସ୍‌ ବିଭାଗକୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର।

ସମ୍ବନ୍ଧିତ ଖବର