କଟକ/ରାଜନଗର/ମହାକାଳପଡ଼ା/ଜଗତସିଂହପୁର: ବାତ୍ୟା ‘ଦାନା’ର ପ୍ରଭାବରେ ପାରାଦୀପ, ରାଜନଗର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସମୁଦ୍ରକୂଳିଆ ଅଞ୍ଚଳରେ ଆଜି ଅପରାହ୍‌ଣରୁ ବର୍ଷା ସହ ହାଲ୍‌କା ପବନ ବୋହିବା ଆରମ୍ଭ ହୋଇଯାଇଛି। ପାରାଦୀପ  ବେଳାଭୂମି, ଏରସମାର ସିଆଳି ବେଳାଭୂମି, ପାରାଦୀପର ନେହରୁ ବଙ୍ଗଳା ଅଞ୍ଚଳରେ ବିଏନ୍‌ଏସ୍ ୧୬୩ (ପୁରୁଣା ୧୪୪ ଧାରା) ଜାରି କରାଯାଇଛି। ସେହିସବୁ ଅଞ୍ଚଳକୁ କାହାରିକୁ ଛଡ଼ାଯାଉ ନାହିଁ। ଅନ୍ୟପଟେ ସମୁଦ୍ରରେ ବି ଉଚ୍ଚ ଜୁଆର ଉଠିବା ଆରମ୍ଭ କରିଛି। ଭିତରକନିକା–ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯିବା ପରେ ଏବେ ସବୁଠୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଅଞ୍ଚଳ ସମେତ ମହାକାଳପଡ଼ା ଓ ରାଜକନିକାର ବିଭିନ୍ନ ଅଞ୍ଚଳ। ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଭିତରକନିକାରେ ହେବାକୁ ଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଡିଭିଜନ ପକ୍ଷରୁ ୮ଟି ଓ କନିକା ରେଂଜ ପକ୍ଷରୁ ୬ଟି ଟିମ୍‌ ଗଠନ କରାଯାଇଛି। ଦୁଇଟି ଟିମ୍‌ ଲୋକଙ୍କୁ ଉଦ୍ଧାର, ସୁରକ୍ଷା ଓ ରାସ୍ତାରେ ପଡ଼ିଥିବା ଗଛ ହଟାଇବା ଦିଗରେ କାର୍ଯ୍ୟ କରିବ। ଆଉ ଦୁଇଟି ଟିମ୍ ବର୍ଷା ଓ ପବନ ଯୋଗୁଁ ଗାଁ ମଧ୍ୟକୁ ପଶି ଆସିଥିବା ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ କାର୍ଯ୍ୟ କରିବ। ଅନ୍ୟ ୨ଟି ଟିମ୍ ଇକୋ ଟୁରିଜମ ଓ ପ୍ଲାଣ୍ଟେସନକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରିବ। ବନବିଭାଗ ପକ୍ଷରୁ ଉଦ୍ଧାର ପାଇଁ ବୋଟ୍‌ଗୁଡିକୁ ପ୍ରସ୍ତୁତ ରଖାଯାଇଥିବା ଏସିଏଫ୍‌ ମାନସ କୁମାର ଦାସ ସୂଚନା ଦେଇଛନ୍ତି। ଇତିମଧ୍ୟରେ ରାଜନଗର ସ୍ବାସ୍ଥ୍ୟ କେନ୍ଦ୍ରରେ ୩୨ ଗର୍ଭବତୀ ମହିଳାଙ୍କୁ ଆଣି ରଖାଯାଇଛି।

Advertisment

ପାରାଦୀପ, ଶିଆଳି ବେଳାଭୂମି, ନେହରୁ ବଙ୍ଗଳା ଅଞ୍ଚଳରେ ଧାରା ୧୬୩ ଲାଗୁ
୨୫ ତାରିଖ ଯାଏଁ ଭିତରକନିକା ବନ୍ଦ

ସେମାନଙ୍କ ମଧ୍ୟରୁ ୧୦ଜଣଙ୍କର ଆଜି ପ୍ରସବ ହୋଇଥିବା ସୂଚନା ମିଳିଛି। ଏଥିସହିତ ୪୫ଟି ବାତ୍ୟା ଆଶ୍ରୟସ୍ଥଳ ଓ ୭୦ଟି ଅସ୍ଥାୟୀ ଆଶ୍ରୟସ୍ଥଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ରାଜନଗରରେ ୨ଟି ଓଡ୍ରାଫ୍‌, ୪ଟି ଏନ୍‌ଡିଆର୍‌ଏଫ୍‌ ଓ ୨ଟି ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ଏନ୍‌ଡିଆରଏଫ ଟିମ୍‌ ଗୁପ୍ତି, ରାଜନଗର, ତାଳଚୁଆ ଓ ଡାଙ୍ଗମାଳରେ ପହଞ୍ଚିଥିବା ବେଳ ଦୁଇଟି ଓଡ୍ରାଫ ଟିମ୍ ରାଜନଗରରେ ରହିଛନ୍ତି। ୨ଟି ଅଗ୍ନିଶମ ବାହିନୀ ଟିମ୍‌ ଡାଙ୍ଗମାଳ ଓ ତାଳଚୁଆରେ ରହିଛନ୍ତି। ରାଜନଗର ଅଞ୍ଚଳରେ ଆଜି ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇଛି। ଅନ୍ୟପଟେ ମହାକାଳପଡ଼ା ବ୍ଲକର ୧୪ଟି ପଞ୍ଚାୟତକୁ ସ୍ପର୍ଶକାତର ବୋଲି ଚିହ୍ନଟ କରାଯାଇଛି। ସେଥି ମଧ୍ୟରୁ ନାଞ୍ଜୁରା, ଗଗୁଆ, ସୁନିତୀ, ଜମ୍ବୁ, ବଢ଼ିହି, କଂସାର ବଡ଼ଦାଣ୍ତୁଆ, ବତିଘର, ଖରିନାସୀ, ରାମନଗର ଓ ପେଟଛେଲା ଭଳି ପଞ୍ଚାୟତ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଗଗୁଆ ପଞ୍ଚାୟତର ପାଣିଖିଆ, ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଓ ବତିଘର ପଞ୍ଚାୟତର କଜଳପାତିଆ, ନିପାଣିଆ ଆଦି ଗ୍ରାମର ଲୋକଙ୍କୁ ଆଜି ସନ୍ଧ୍ୟାରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି। ଜଗତସିଂହପୁର ଜିଲ୍ଲାର ସମୁଦ୍ର କୂଳବର୍ତ୍ତୀ ତରାସାହି, ବାଲିଯୋରି, ଦଣ୍ଡାଦେବୀ, ବନ୍ଦର ଓ ଅପଣ୍ଡରା ପଞ୍ଚାୟତର ଶ୍ରୀବନ୍ତପୁର ଅଞ୍ଚଳରୁ ପାଖାପାଖି ୩ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଜିଲ୍ଲାର ପାରାଦୀପ, କୁଜଙ୍ଗ ଓ ଏରସମା ଅଞ୍ଚଳରେ ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍‌ ଓ ଅଗ୍ନିଶମ ଟିମ୍ ପହଞ୍ଚିଛନ୍ତି। ଜିଲ୍ଲାରେ ଇତିମଧ୍ୟରେ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହିତ ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। 

କଟକ ଜିଲ୍ଲାରେ ବି ଆଜିସୁଦ୍ଧା ଆସନ୍ନପ୍ରସବା ୧୩୭ଜଣ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିରୁ ୨୭ଜଣ ମହିଳା ଆଜି ସନ୍ତ‌ାନ ପ୍ରସବ କରିଛନ୍ତି। ଜିଲ୍ଲାର ନିଆଳିରେ ୪୨୭ ଜଣଙ୍କୁ ଓ ସାଲେପୁରରେ ୧୩୯ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଅଞ୍ଚଳରେ ମଧ୍ୟ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।