ଭୁବନେଶ୍ୱର/ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାରୁ ଶୁକ୍ରବାର ଅପରାହ୍ଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ସାମିଲ ଅଛନ୍ତି। ଚାଷ ଜମିରେ କାମ କରୁଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଂଚାୟତ ଅଞ୍ଚଳର ପଞ୍ଚାନନ ରଣା (୬୫) ଆଜି ପୁଅଙ୍କ ସହ ଚାଷ ଜମିକୁ ଯାଇଥିଲେ। ଜଗନ୍ନାଥପୁର ଗ୍ରାମର ପଞ୍ଚାନନ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ସେ ତଳେ ପଡ଼ିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଳ୍ପ ସମୟ ପରେ ପଞ୍ଚାନନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ଭୁବନେଶ୍ୱର ନିକଟ ବନମାଳୀପୁର ଗ୍ରାମରେ ଆଜି ଅପରାହ୍ଣରେ ବଜ୍ରପାତ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ ଲଳିତା ଭୋଇଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ମଧ୍ୟ ବଜ୍ରପାତ ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମହିଳା ଜଣକ ହେଲେ ମଠସାହିର ମଞ୍ଜୁଲତା ମଲ୍ଲିକ।