ଯାଜପୁରସଦର: ଆକାଶରୁ ଖସୁଛି ବଜ୍ର। ଚାଲି ଯାଉଛି ଜୀବନ। ଲୋକମାନେ ସଚେତନ ହେଉନଥିବାରୁ ପ୍ରତିବର୍ଷ ଯାଉଛି ଅନେକ ଜୀବନ। ଯାଜପୁର ଜିଲ୍ଲାରେ ଗତ ୧୦ ବର୍ଷରେ ବଜ୍ରପାତ ୧୦୨ଜଣଙ୍କ ଜୀବନ ନେଲାଣି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୨୦୧୪ମସିହା ଠାରୁ ଅନେକ ଲୋକ ବଜ୍ରପାତରେ ପ୍ରାଣ ହରାଇଲେଣି। ୨୦୧୪ରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୫ରେ ୧୫ଜଣ, ୨୦୧୬ରେ ୮ଜଣ, ୨୦୧୭ରେ ୧୩ଜଣ, ୨୦୧୮ ରେ ୧୯ଜଣ ବଜ୍ରପାତରେ ମୃତ୍ୟୁ ଘଟିଛି। ୨୦୨୦ରେ କରୋନା ପାଇଁ ଲକ୍‌ଡାଉନ କଟକଣା ଯୋଗୁଁ ଲୋକମାନଙ୍କ ବାହାରେ ଚଳପ୍ରଚଳ କମିଥିଲା। ଫଳରେ ୨୦୨୦ରେ ମାତ୍ର ଜଣେ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୭ଜଣ, ୨୦୨୨ରେ ୯ଜଣ ଓ ୨୦୨୩ରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ପରିବାର କ୍ଷତିପୂରଣ ରାଶି ପାଇ ସାରିଛନ୍ତି।

Advertisment

ଏହି ବିପଦରୁ ରକ୍ଷା ପାଇଁ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଜନଗହଳି ପୂର୍ଣ୍ଣ ଛକ, ହାଟ ବଜାରରେ ପ୍ରଚାରପତ୍ର ମାରି ସଚେତନ କରାଉଥିବା ବେଳେ ମୋବାଇଲକୁ ବାର୍ତ୍ତା(ମେସେଜ) ଓ ବିଭିନ୍ନ ଗଣମାଧ୍ୟମ‌ରେ ବିଜ୍ଞାପନ ଜରିଆରେ ମଧ୍ୟ ଅବଗତ କରାଉଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଦାମିନୀ ମୋବାଇଲ ଆପ୍‌ ଜରିଆରେ ଲୋକଙ୍କ ପାଖରେ ବଜ୍ରପାତ ପୂର୍ବରୁ ସତର୍କ ସୂଚନା ଲୋକଙ୍କ ପାଖରେ ପହଞ୍ଚିପାରୁଛି।