ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୬ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଢେଙ୍କାନାଳ ସହର ଉପକଣ୍ଠ ବଳଦିଆବନ୍ଧ ଅଞ୍ଚଳରେ ପଥର ଖଣିରୁ କାମ ସାରି ଫେରୁଥିବାବେଳେ ଦୁଇ ଭାଇଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି। ସେମାନେ ହେଲେ କୃଷ୍ଣଚନ୍ଦ୍ର ଦେହୁରୀଙ୍କ ଦୁଇ ପୁଅ କମଳକାନ୍ତ (୩୭) ଓ ନରେଶ (୩୩)। ବଜ୍ରପାତରେ ଅନ୍ୟ ଦୁଇଜଣ ଦିବାଇ ଜରିକା ଓ ମିଥୁନ କିସ୍କୁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନନ୍ତପୁର ଗାଁର ଏହି ଶ୍ରମିକମାନେ ଢେଙ୍କାନାଳ ସଦର ଥାନା ମହୁଲପଡ଼ା ଅଞ୍ଚଳରେ ଥିବା ଏକ ପଥର ଖାଦାନରୁ କାମ ସାରି ଘରକୁ ଫେରୁଥିଲେ। ଅପରାହ୍ଣରେ ବର୍ଷା ହେବାରୁ ସେମାନେ ପାଖରେ ଥିବା ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ କମଳକାନ୍ତ ଓ ନରେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦୁହିଁଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାର ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମର ହରିହର ସାହୁ (୫୦) ଓ ଛେଣ୍ଡିପଦା ବ୍ଲକ୍ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରେଇ ଗ୍ରାମର ପଙ୍କଜ ନାଏକ(୩୦)ଙ୍କ ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଖାରିଗୁଡ଼ା ଗାଁର ଉଦୟ ଗୌଡ଼ଙ୍କ ପୁଅ ବସନ୍ତ ଗୌଡ଼ (୩୮)ଙ୍କର ମୃତ୍ୟୁ ଘଟିଛି। ବସନ୍ତ ଅପରାହ୍ଣରେ ଗାଈପଲଙ୍କୁ ଚରାଇବାକୁ ନେଇଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଥିଲେ। ସେହିପରି ଜମିରେ ଧାନ ରୋଇବାବେଳେ ଜଗନ୍ନାଥପ୍ରସାଦ ବ୍ଲକ୍ ଅଲାଡ଼ି ଗ୍ରାମର ସନ୍ତୋଷିନୀ ବିଶ୍ବାଳ (୫୦)ଙ୍କର ମୃତ୍ୟୁ ହୋଇଛି। ବେଲଗୁଣ୍ଠା ଥାନା ଗୋଲା ସାହିର ଜି.କାହ୍ନା ପାତ୍ର ଗୁହାଳରେ ବସିଥିବା ବେଳେ ବଜ୍ରପାତ ହେବାରୁ ତଳେ ପଡ଼ି ଯାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା କଅଁଳପଡ଼ା ଗ୍ରାମର ସାଗର ବେହେରା (୨୭) ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ସାଗର ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଟଳିପଡ଼ିଥିଲେ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ହଳଦିଆପଦା ଗ୍ରାମରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଂଘିରା ପଞ୍ଚାୟତ କଣ୍ଟାପଦା ଗ୍ରାମର କୁଶ ସେଲିଙ୍ଗଙ୍କ ପୁଅ ଶିବୁ ସେଲିଙ୍ଗ (୧୭)। ଗୁରୁତର ଜଣକ ହେଲେ ହଳଦିଆପଦା ଗ୍ରାମର ଆର୍ତ୍ତତ୍ରାଣ ଦେହୁରୀଙ୍କ ପୁଅ ରାମ ଦେହୁରୀ (୧୯)। କୁଶ ହଳଦିଆପଦାସ୍ଥିତ ମାମୁଘରକୁ ଆସିଥିଲେ। ମାମୁପୁଅ ଭାଇ ସହିତ ଆଜି ଚାଷଜମିରେ ବୋଇତାଳୁ ଚାରା ଲଗାଇ ଫେରିଲା ବେଳେ ଘର ପାଖରେ ବଜ୍ରାଘାତର ଶିକାର ହୋଇଥିଲେ। ଶିବୁ ଜଂଘିରା କଲେଜର ଯୁକ୍ତ ୨ ଛାତ୍ର ଥିଲେ। ଅନ୍ୟପକ୍ଷରେ ଚିକିତ୍ସା ପରେ ରାମଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେହିପରି ବୁଢ଼ାଖମଣ ପଞ୍ଚାୟତ ଶରତପଦା ଗ୍ରାମରେ ୧୧ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ତେଲକୋଇ ବ୍ଲକ୍ ଖୁଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ କନ୍ତଲେଇ ଗ୍ରାମର ବିରଞ୍ଚି ମୁଖୀ (୫୫) ବଜ୍ରାଘାତରେ ଗୁରୁତର ହୋଇଛନ୍ତି।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଣକୁଳ ନିକଟ ଶିଖରପୁରରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଶିଖରପୁର ଗ୍ରାମର ସୁଦର୍ଶନ ପଲେଇ (୬୫), ମଧ୍ୟାହ୍ନ ମୋହନ ପରିଡ଼ା (୬୫) ଓ ଶଙ୍କର୍ଷଣ ପରିଡ଼ା (୫୦) ଜମିରେ କାମ କରୁଥିବାବେଳେ ବଜ୍ରାଘାତରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଓଡ଼ଗାଁ ଥାନା ଡହଙ୍ଗୀ ଗ୍ରାମର ଚାଷୀ ଅପର୍ତ୍ତି ନାୟକ (୭୧) ଜମିରେ କାମ କରୁଥିବା ସମୟରେ ବଜ୍ରାଘାତରେ ଟଳିପଡ଼ିଥିଲେ।