ଅତାବିରା/ବିନିକା/ସିଂଘିଯୁବା/ଛେଣ୍ଡିପଦା: ଗୁରୁବାର ରାଜ୍ୟର ପୃଥକ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ଜୀବନ ଯାଇଛି। ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ବଜ୍ରପାତରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅତାବିରା ଥାନା ଟୋପ ଗ୍ରାମର ଯଶୋଦା ମଲ୍ଲିକ (୩୫) ଓ ଖଇରପାଲି ନଳିଆ ଝୁମ୍ପୁଡ଼ିପଡ଼ା ଗ୍ରାମର ଶାନ୍ତି ଛତ୍ରିଆ (୪୮)। 

Advertisment

ସୂଚନା ଅନୁସାରେ, ଯଶୋଦା ବିଲରେ କାମ କରୁଥିବା ତାଙ୍କ ସ୍ୱାମୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ନେଇ ଯାଉଥିଲେ। ହଠାତ୍‌ ବଜ୍ରପାତ ହେବାରୁ ସେ ଟଳି ପଡ଼ିଥିଲେ। ସେହିପରି ଖଇରପାଲି ଗ୍ରାମର ଶାନ୍ତି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ସେଠାରେ ବଜ୍ରାଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତକଦ୍ୱୟଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଅତାବିରା ପୁଲିସ ଦୁଇଟି ଯାକ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

ଅତାବିରାରେ ଟଳିଲେ ୨ ମହିଳା
ଅନୁଗୁଳ ଓ ବିନିକାରେ ୨ ଚାଷୀ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ କମିରା ଗ୍ରାମର ଡୋଳାମଣି ପଧାନ (୬୦) ଆଜି ଅପରାହ୍ନରେ ବିଲକୁ ଯାଉଥିବା ବେଳେ ସ୍କୁଲ ପାଖରେ ବଜ୍ରପାତ ହେବାରୁ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାକୁ ଅଣାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବିନିକା ଥାନା ଦେଣ୍ଡୁଆପଦର ଗ୍ରାମରେ ଭଗବାନ ଗଡ଼ୁଆ (୫୦) ବିଲରେ ଥିବା ବେଳେ ବଜ୍ରପାତରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ବାଗଡ଼ିଆ ଥାନା ଅଞ୍ଚଳରେ ଆଜି ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ପାତ୍ରପଡ଼ା ଗ୍ରାମର କରୁଣାକର ନାଏକ (୬୦) ଓ ତାଙ୍କ ପତ୍ନୀ ସାବିତ୍ରୀ (୫୬) ଆଜି ସକାଳେ ବିଲକୁ ଯାଇଥିଲେ।

ପୂର୍ବାହ୍‌ଣ ସାଢେ଼ ୧୦ଟାରେ ଉଭୟ ଘରକୁ ଫେରୁଥିବା ବେଳେ ବାଟରେ ଘଡ଼ଘଡ଼ି ଓ ବର୍ଷା ଯୋଗୁଁ ବନ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ପାଳଭାଡ଼ି ତଳେ ଅଟକିଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଏଥିରେ କରୁଣାକରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାବିତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କରୁଣାକରଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।