ସ୍ୱାମୀ ପରେ ସ୍ତ୍ରୀଙ୍କ ଜୀବନ ନେଲା ବଜ୍ରପାତ

ବଜ୍ରପାତ ଉଜାଡିଦେଲା ପରିବାର

ଟାଙ୍ଗୀ : ଠିକ୍‌ ୧୫ବର୍ଷ ତଳେ ବିଲରେ କାମ କରୁଥିବାବେଳେ ବଜ୍ରପାତ ନେଇଥିଲା ସ୍ୱାମୀଙ୍କ ଜୀବନ । ୧୫ ବର୍ଷ ପରେ ସମାନ ଢଙ୍ଗରେ ବଜ୍ରପାତରେ ଯାଇଛି ସ୍ତ୍ରୀର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପନା ପଞ୍ଚାୟତର ତୋଟାସାହି ଗ୍ରାମରେ ।

ସୂଚନା ଅନୁଯାୟୀ ଟାଙ୍ଗୀ ଥାନା ଅନ୍ତର୍ଗତ ତୋଟାସାହି ଗ୍ରାମର ସ୍ୱର୍ଗତ ଧୀରେନ୍ଦ୍ରନାଥ ନାୟକଙ୍କ ପତ୍ନୀ ଅମ୍ବିକା (୫୫) ଆଜି ନିଜ କ୍ଷେତରେ ଗାଈ ଜଗିଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଅମ୍ବିକା ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ଥାନୀୟ ସରପଞ୍ଚ ସୁଖଦା ବେଉରା, ଯୁବନେତା ପ୍ରଫୁଲ୍ଲ ସ୍ୱାଇଁ, ଅମୂଲ୍ୟ ବେଉରା ପ୍ରମୁଖ ମୃତ ଅମ୍ବିକାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅନ୍ୟପଟେ ଅମ୍ବିକାଙ୍କ ସ୍ୱାମୀ ଧୀରେନ୍ଦ୍ର ବି ବଜ୍ରପାତରେ ପ୍ରାଣ ହରାଇଥିଲେ। ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଧୀରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର