ବଜ୍ରପାତରେ ଜଳିଗଲା ଘର; ୭ ଗୁରୁତର ଆହତ, ୨ ବଳଦ ମୃତ 

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୩ ଟା ସମୟରେ କାଳବୈଶାଖୀ ସହିତ ଭୀଷଣ ମାତ୍ରାରେ ବଜ୍ରପାତ ଯୋଗୁଁ ଗୋଟିଏ ପରିବାରର ଘର ସମ୍ପୂର୍ଣ୍ଣରୁପେ ଜଳିଯାଇଛି। ଛଅ ଜଣ ଗୁରୁତର ଆହତ ହେବା ସହ ବଜ୍ରାଘାତ ଯୋଗୁଁ ଦୁଇଟି ବଳଦଙ୍କ ମୃତ୍ୟୁ ଘଟିଯାଇଥିବା ଜଣାପଡିଛି। ଖବରରୁ ପ୍ରକାଶ କି ଆଜି ଉକ୍ତ କାଳବୈଶାଖୀରେ ଏହି ବ୍ଲକ ତଥା ମୋରଡା ତହସିଲ ଅଧିନ ବରକନ୍ଦ ପଞ୍ଚାୟତର ଝିଙ୍କିରିଆ ହାଟ ସାହିର ଲକ୍ଷ୍ମୀଧର ପାତ୍ର ଘର ଉପରେ ବଜ୍ରପାତ ହେବାରୁ ହଠାତ ଘରଟି ଜଳି ଉଠିବା ସହ ନିମିଷକେ ଘରଟି ସମ୍ପୂର୍ଣ୍ଣରୂପେ ଜଳିପୋଡି ପାଉଁଶ ହେବାସହ ଉକ୍ତ ଘରେ ରହିଥିବା ଲକ୍ଷ୍ମୀଧର, ତାଙ୍କ ଜ୍ବାଇଁ ବ୍ରଜମୋହନ ପରିଡା(୩୨)ବ୍ରଜମୋହନଙ୍କ ସ୍ତ୍ରୀ ଦେବଯାନୀ ପାତ୍ର (୨୩), ରାକ୍ଷୀ ପାତ୍ର(୬), ଏଲି ମୁଣ୍ଡା, ସିଲି ମୁଣ୍ଡା, ନିନି ମୁଣ୍ଡା(୨୪) ମୋଟ ସାତ ଜଣ ଉକ୍ତ ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ଉକ୍ତ ସାତ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନ ଜଳି ଯାଇଥିବା ବେଳେ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ନିକଟସ୍ଥ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିବା ଜଣାପଡିଛି।

ଖବର ପାଇ ମୋରଡା ବ୍ଲକ ଉପାଧ୍ୟକ୍ଷା ଜେମାମଣି ମହାନ୍ତ, ବରକନ୍ଦ ସରପଞ୍ଚ ରଘୁନାଥ ସୋରେନ, ସମିତି ସଭ୍ୟ ଚିତ୍ତରଞ୍ଜନ ପାତ୍ର, ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ପାଇଁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିଥିବା ଜଣାପଡିଛି। ସେହିପରି ଜାମୁଗଡ଼ିଆ ଗ୍ରାମର ଗଜେନ୍ଦ୍ର ସରେନଙ୍କର ଗୋଟିଏ ଏବଂ କରୁଣାକର ସୋରେନଙ୍କର ଗୋଟିଏ ବଳଦ ଆଜି ଉକ୍ତ ସମୟରେ ନିକଟସ୍ଥ ବିଲରେ ଚରୁଥିବା ବେଳେ ବଜ୍ରାଘାତ ହେବାରୁ ଦୁଇଟି ଯାକ ବଳଦ ଘଟଣା ସ୍ଥଳରେ ଟଳିପଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଖବର ପାଇ ମୋରଡା ତହସିଲଦାର ଅନନ୍ତ କୁମାର ହାଁସଦ। ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର