ରାଉରକେଲା : ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ବେଳେ ଗଛମୂଳେ ଏକାଠି ବସି ମୋବାଇଲ ଦେଖିବା କାଳ ହୋଇଛି। ବଜ୍ରାଘାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଲାଠିକଟା ବ୍ଲକ ଅନ୍ତର୍ଗତ କର୍ଲାଖମଣର ବିଶାଳ ବିଲୁଙ୍ଗ, ମନ୍କୋର ଶାନ୍ତିପ୍ରକାଶ ଲାକ୍ରା ଓ ବଣାଇ ବ୍ଲକ ଅନ୍ତର୍ଗତ ନରହାଟିର ସୁନୀତ ଓରାମ। ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ତିନି ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ପଠାଯାଇଛି। ଏକକାଳୀନ ତିନି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମିଳିଥିବା
ସୂଚନା ମୁତାବକ ଆଜି (ରବିବାର) ବିଶ୍ବକର୍ମା ପୂଜାରେ ଛୁଟି ଥିବାରୁ ଲାଠିକଟା ବ୍ଲକ ଗର୍ଜନ ଅନ୍ତର୍ଗତ ତୁମରନ ବିରୁଆଲ ଖେଳପଡ଼ିଆରେ ତୁମରନ ଓ ବିରୁଆଲ ଦୁଇଟି ଗ୍ରାମର ଖେଳାଳୀଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଚାଲିଥିଲା। ରବିବାର ଓ ବିଶ୍ବକର୍ମା ପୂଜା ଛୁଟିଥିବାରୁ ଖେଳ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଦର୍ଶକଙ୍କ ଭିଡ଼ ଜମିଥିଲା। ବଣାଇର ସୁନୀତ, ଲାଠିକଟାର ବିଶାଳ, ମନ୍କୋର ଶାନ୍ତିପ୍ରକାଶ ମୋଟରବାଇକ୍ରେ ଖେଳ ପଡ଼ିଆରେ ପହଞ୍ଚି ଖେଳୁ ଦେଖୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ହଠାତ୍ ବିଜୁଳି, ଘଡଘଡି ସହ ମୂଷଳଧାରାରେ ବର୍ଷା ହୋଇଥିଲା। ଖେଳ ଦେଖୁଥିବା ସ୍ଥାନୀୟ ଅଞ୍ଚଳର ଦର୍ଶକ ଓ ମୃତକ ତିନି ଯୁବକ ଗଛତଳେ ଆଶ୍ରୟ ନେଇଥିଲେଏ। ମୃତ ତିନି ଯୁବକ ବର୍ଷାରେ ଗଛତଳେ ବସି ମୋବାଇଲ ଦେଖୁଥିବାବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ସୁନୀତ, ବିଶାଳ ଓ ଶାନ୍ତିପ୍ରକାଶଙ୍କର ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ନିକଟରେ ଛିଡା ହୋଇଥିବା ଅନ୍ୟ ୪ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ବ୍ରାହ୍ମଣୀତରଙ୍କ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।