ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ବିଲରେ କାର୍ଯ୍ୟରତ ଯୁବତୀ ସମେତ ୭ ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାରୁ ରବିବାର ସନ୍ଧ୍ୟାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମିିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ଶଙ୍କରାବାହାଲ ଗାଁରେ ହକି ମ୍ୟାଚ୍‌ ଚାଲିଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରବି ନାରାୟଣ ତନ୍ତ୍ରି, ସୁମନ୍ତ ଗୌଡ ଓ ସୁଶାନ୍ତ ଗୌଡ଼। ଏହି ଘଟଣାରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିଭଳି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଖଇରା ବ୍ଲକର କୁପାରୀ ଗାଁରେ କଟକ ଅଞ୍ଚଳର ପପୁନ ନାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବାହାନଗା ବ୍ଲକର ବିଷ୍ଣୁପୁରର ଟିଣୁ ବେହେରାଙ୍କ ପୁଅ ରତ୍ନାକର ବେହେରାଙ୍କ ମୃତ୍ୟୁ ଘଟିଛି। ବାରିପଦାର ସାନକେରକ ଗାଁରେ ରଶ୍ମିତା ମହାନ୍ତ ବିଲରେ କାମ କରୁଥିବା ବେଳେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି।

ଆଜି ଅପରାହ୍ନରେ ଶଙ୍କରାବାହାଲ ଗାଁରେ ଏକ ମ୍ୟାଚ ଚାଲିଥିଲା। ଖେଳ ଆରମ୍ଭ ହେବାର କିଛି ସମୟ ପରେ ବଜ୍ରପାତ ହୋଇଥିଲା। ପଡ଼ିଆ ବାହାରେ ଥିବା ଗଛ ତଳେ ଦର୍ଶକମାନେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା ବୋଲି ପ୍ରତକ୍ଷ୍ୟଦର୍ଶୀମାନେ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହେବାରୁ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର