ଦେବଗଡ଼/ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ଦେବଗଡ଼ ଜିଲ୍ଲା ତିଲେଇବଣି ଅଞ୍ଚଳରେ ଏକ ସ୍କୁଲରେ ପାଠପଢ଼ା ଚାଲିଥିବା ‌ବେଳେ ବଜ୍ରପାତ ହେବାରୁ ୭ ଜଣ ପିଲା ଆହତ ହୋଇଛନ୍ତି। ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

publive-image

ତିଲେଇବଣି ବ୍ଲକ ଅନ୍ତର୍ଗତ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତ ହେବାରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଛାତ୍ରୀମାନେ ହେଲେ କୁଟୁରାପଶି ଗ୍ରାମର ଲିକି ପେଣ୍ଠେଇ, ଭବାନୀ ଦେହୁରୀ, ପପିନା ସାହୁ, ଧରିତ୍ରୀ ସାହୁ, ସାଲିନୀ ସାହୁ, ସାଲିନୀ ଦେହୁରୀ ଓ ଶ୍ରୀନିବାସ ଦେହୁରୀ । ଏମାନେ ସମସ୍ତେ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି।

ବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଠପଢା ଚାଲିଥିବାବେଳେ ଦିନ ୧ଟା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତ ‌ଯୋଗୁଁ ଗୁରୁତର ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ଦେବଗଡ ଜିଲ୍ଲା ମୁଖ୍ୟ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ବେହେରା ଘଟଣାସ୍ଥଳରେ ପଂହଚି ଗୁରୁତର ଥିବା ସ୍ବାସ୍ଥ୍ୟବସ୍ଥା ସଂପର୍କରେ ବୁଝାସୁଝା କରିଛନ୍ତି। ବଜ୍ରପାତ ଯୋଗୁଁ ଶ୍ରେଣୀ କୋଠରୀର ବିଦ୍ୟୁତ ବଲ୍‌ବ ପୋଡି ଯିବା ସହିତ ଶ୍ରେଣୀ କୋଠରୀ ଚଟାଣ ଫାଟି ଯାଇଛି ।

publive-image

ସୂଚନାଯୋଗ୍ୟ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ମାଧବ (ପ୍ରଧାନସାହି) ଗ୍ରାମରେ ଜଣେ ଚାଷୀ ବିଲରେ କାମ କରୁଥିବା ‌ବେଳେ ବଜ୍ରପାତ‌ ହୋଇଥିଲା। ଏହି ବଜ୍ରପାତର ଶିକାର ହୋଇଥିଲେ ସୁରେନ୍ଦ୍ର ବସ୍ତିଆ (୫୫) ନାଁରେ ଜଣେ ଚାଷୀ। ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚାରିଛକ ଫାଣ୍ଡି ପୁଲିସ ପହଂଚି ଶବ ଜବତ ସହ ବ୍ୟବଛେଦ ପାଇଁ ପଠାଇଛି।