କୋଣାର୍କ ପାଇଁ ପୁଣି ତନାଘନା, ଗର୍ଭଗୃହ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ

ବଜ୍ରପାତ ଭୟ, ଖୋଲାଯାଇପାରେ ଲୁହାପାଇପ ଭାରା

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିରର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟ‌ାଳୟଙ୍କ ପକ୍ଷରୁ ଆମିକ୍‌ସ କ୍ୟୁରି ନିଯୁକ୍ତି ହେବା ପରେ ମନ୍ଦିରର ରକ୍ଷଣାବେକ୍ଷଣ ଦିଗରେ କ୍ରମାଗତ ଭାବେ ଅବହେଳା କରିଆସୁଥିବା ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ଏହାର ସଂରକ୍ଷଣ ଦିଗରେ ତତ୍ପର ହୋଇପଡ଼ିଛନ୍ତି। ମାସେ ପରେ ପୁଣି ଥରେ ବିଶେଷଜ୍ଞ ଟିମ୍‌ କୋଣାର୍କରେ ପହଞ୍ଚି ମନ୍ଦିରର ଚୂଡ଼ା ପର୍ଯ୍ୟନ୍ତ ଅନୁଧ୍ୟାନ କରିବା ସହିତ ଗର୍ଭଗୃହର ବାଲି ପରୀକ୍ଷା ନିରୀକ୍ଷା ପାଇଁ ନେଇଛନ୍ତି। ଏହି ଯାଞ୍ଚ ସମୟରେ ମନ୍ଦିରର ସଂରକ୍ଷଣ ପାଇଁ ଲାଗିଥିବା ଲୁହା ପାଇପ୍‌ ବଦଳାଇବା ଲାଗି ଆେଲାଚନା େହାଇଥିବା ସୂଚନା ମିଳୁଛି। ଲୁହା ପାଇପ୍ ଓଜନ ମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି ଓ ବଜ୍ରପାତ ଆଶଙ୍କା ବଢାଉଛି। ଏହାକୁ ହଟାଇ ତା ସ୍ଥାନରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କଳଙ୍କି ପ୍ରତିରୋଧୀ ବିମ୍‌ ଦେବା ପାଇଁ ଯୋଜନା କରାଯାଇଛି। େକାଣାର୍କ ବିେରାଧରେ ଚାଲିଥିବା ମନୁଷ୍ୟକୃତ ଷଡ୍‌ଯନ୍ତ୍ର େନଇ ‘ସମ୍ବାଦ’‌େର କ୍ରମାଗତ ଖବର ପ୍ରକାଶ ପାଇବା ପରେ ସମଗ୍ର େକନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ ଏଏସ୍ଆଇ କର୍ତୃପକ୍ଷ ଅକଳରେ ପଡିଥିେଲ। ଠିକ୍ ଏମିତି ସମୟରେ ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲା ଅଡୁଆ ବଢାଇ ଦେଇଥିଲା। ଉଚ୍ଚ ନ୍ୟାୟାଳୟ ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ଆମିକସ କ୍ୟୁରି ନିଯୁକ୍ତ କରିଥିଲେ।

ଏହାପରେ ଗତ ମାସ ୩ ତାରିଖରେ ଏଏସ୍‌ଆଇ ପକ୍ଷରୁ ବିଶେଷଜ୍ଞ ଟିମ୍‌ ଦ୍ବାରା େକାଣାର୍କର ସ୍ଥିତି ଅନୁଧ୍ୟାନ କରାଯାଇ ଗର୍ଭଗୃହ ବାଲି ଲାବୋରେଟୋରି ଟେଷ୍ଟ ପାଇଁ ନିଆଯାଇଥିଲା। ପରେ ଅଗଷ୍ଟ ୮ ତାରିଖରେ ଏଏସ୍‌ଆଇର ଏଡିଜି ମଧ୍ୟ କୋଣାର୍କ ପରିଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଗତମାସ ୧୨ ତାରିଖରେ ଆମିକସ କ୍ୟୁରି କୋଣାର୍କ ପରିଦର୍ଶନ କରି ସମସ୍ତ ଦିଗକୁ ଟିକିନିଖି ଅନୁଧ୍ୟାନ କରିଥିଲେ। ଆଜି ପୁଣି ବରି‌ଷ୍ଠ ବିଶେଷଜ୍ଞ ରାଜୀବ କୁମାର ଶର୍ମା, ସିଦ୍ଧାର୍ଥ ବେହେରା ଓ ଦେବଦତ୍ତ ଘୋଷ୍‌ଙ୍କୁ ନେଇ ଏଏସଆଇ ଓ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ପ୍ରତିଷ୍ଠାନ (ସିବିଆରଆଇ )ର ଏକ ତିନିଜଣିଆ ପ୍ରତିନିଧି ମଣ୍ଡଳୀ କୋଣାର୍କରେ ପହଞ୍ଚି ମନ୍ଦିରର ଚୂଡ଼ା ପର୍ଯ୍ୟନ୍ତ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବରୁ ଲେଜର ସ୍କାନିଂ ସମୟରେ ମନ୍ଦିରର ବିଭିନ୍ନ ସ୍ଥାନରେ ହୋଇଥିବା ହୋଲ୍‌ରୁ ବାଲି ସଂଗ୍ରହ କରି ପରୀକ୍ଷା ପାଇଁ ଆଜି ନିଆଯାଇଥିବା ଜଣାପଡ଼ିଛି। ଏଣେ ମନ୍ଦିରରୁ ଖୁବଶୀଘ୍ର ଲୁହା ପାଇପ ହଟାଇ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପଥର ଖସିବା ଭୟ ରହିଥିବାରୁ ଏହାର ବିକଳ୍ପ ଚିନ୍ତା କରାଯାଇ ଲୁହା ପାଇପ ଭାରା ଖୋଲାଯିବ ବୋଲି ଆେଲାଚନା େହାଇଛି। କେବଳ ସେତିକି ନୁହେଁ, ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନପଥ ଗୋଟିଏ ସ୍ଥାନରେ ଥିବାରୁ ଏହା ସମସ୍ୟା ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରବେଶ ଓ ପ୍ରସ୍ଥାନ ପଥ ଭିନ୍ନ ଭିନ୍ନ ସ୍ଥାନରେ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି। ତେବେ ଆଜିର ଏହି ଯାଞ୍ଚ ସମ୍ପର୍କରେ ଏଏସଆଇ କୌଣସି ନିର୍ଦିଷ୍ଟ ତଥ୍ୟ ନଦେଇ ଏହା ତାଙ୍କର ନିୟମିତ ପ୍ରକ୍ରିୟା ଓ ନିୟମିତ ବ୍ୟବଧାନରେ ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ଏହି ଟିମ ଆସିଥିବା ସୂଚନା ଦେଇଛନ୍ତି। ତେବେ ଗତମାସରେ ଯାଇଥିବା ବାଲିର ପରୀକ୍ଷା ରିପୋର୍ଟ ଓ ଆଜି ନିଆଯାଇଥିବା ବାଲିର ରିପୋର୍ଟ ଅନୁଧ୍ୟ‌ାନ ପରେ ମୁଖଶାଳା ଗର୍ଭଗୃହରୁ ବାଲି କଢ଼ାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଆଜି ଏଏସଆଇ ପକ୍ଷରୁ ନବଗ୍ରହ ସନ୍ନିକଟ ସ୍ଥାନକୁ ବାଡ଼ ବନ୍ଧାଯାଇ ଆବଦ୍ଧ କରାଯିବା ପ୍ରସଙ୍ଗରେ ନବଗ୍ରହର ପୂଜକମାନେ ଆପତ୍ତି ଉଠାଇଥିଲେ। ଏଏସଆଇର ଜଣେ ବରିଷ୍ଠ ଅଧିକାରୀ ପୂଜକମାନଙ୍କୁ ପୁଲିସ କେସ୍‌ର ଭୟ ଦେଖାଇବା ସହିତ ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ସେଠାରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ୧୯୯୭ ମସିହାରେ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ପାଇଁ ପ୍ରଥମଥର ପାଇଁ ବିଶେଷଜ୍ଞ କମିଟି ବୈଠକ ବସିଥିଲା। ୨୦୧୦ ମସିହାରେ କୋଣାର୍କ ଯାତ୍ରୀନିବାସ ପରିସରରେ ବିଶ୍ବର ବଛାବଛା ୫୦ ଜଣ ବିଶେଷଜ୍ଞଙ୍କୁ ନେଇ ମନ୍ଦିରର ବାସ୍ତବ ସ୍ଥିତି ସଂପର୍କରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ େହାଇଥିଲା। ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ସିବିଆରଆଇକୁ ମନ୍ଦିରର ସ୍ଥିତି ଅନୁଧ୍ୟାନ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ସିବିଆରଆଇ ମନ୍ଦିରର ଲେଜର ସ୍କାନିଂ କରି ସ୍ଥିତି ଯାଞ୍ଚ କରିଥିଲା। ତେବେ ସିବିଆରଆଇ େକାଣାର୍କ ସଂପର୍କରେ କଣ ରିପୋର୍ଟ ଦେଇଛନ୍ତି, ତାହାକୁ ଏଯାଏ ସାର୍ବଜନୀନ କରାଯାଇନାହିଁ। ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସିବିଆରଆଇ ତାଙ୍କ ରିପୋର୍ଟରେ ମୁଖଶାଳାରେ ଭର୍ତ୍ତି ହୋଇଥିବା ବାଲି ଦବୁଥିବା ଓ ତାହା ପ୍ରଭାବରେ ମନ୍ଦିରରେ କ୍ରମଶଃ ଫାଟ ସୃଷ୍ଟି ହେଉଥିବାର ଉଲ୍ଲେଖ କରିଥିବା କୁହାଯାଉଛି। ଅପରପକ୍ଷେ, ରାଜ୍ୟ ସରକାର ମଧ୍ୟ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମନ୍ଦିରର ଉଦ୍‌ବେଗଜନକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ। େକନ୍ଦ୍ର େପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରିବା ପରେ ନୂଆଦିଲ୍ଲୀରେ ଓ ପରେ ଭୁବନେଶ୍ବରରେ ତତ୍କାଳୀନ େକନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ସେତେବେଳେ ବି ଏଏସ୍‌ଆଇ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ାଇଯିବାକୁ ଉଦ୍ୟମ କରିଥିଲା। ଏହି ବୈଠକରେ େହାଇଥିବା ନିଷ୍ପତ୍ତି ମଧ୍ୟରୁ ଏଯାଏ କିଛି ବି କାର୍ଯ୍ୟରେ ପରିଣତ େହାଇନାହିଁ। େକନ୍ଦ୍ର ସରକାର ଚୁପ୍ ବସିଛନ୍ତି, ରାଜ୍ୟ ସରକାର ବି।

ସମ୍ବନ୍ଧିତ ଖବର