ଭୁବନେଶ୍ବର: ରାଜ୍ୟର ୧୦ଟି ଜିଲ୍ଲାରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହିତ ବିଜୁଳି ଓ ବଜ୍ରପାତ ଭଳି ବିପର୍ଯ୍ୟୟର ପରିଚାଳନା ନେଇ ଜନସାଧାରଣଙ୍କୁ ପ୍ରଶିକ୍ଷଣ ଦିଆଯିବ। ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ବାଲେଶ୍ବର, କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗୀର ଓ କୋରାପୁଟ ଆଦି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍‌ଡମା)ର ୩୬ତମ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Advertisment

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ବିଦ୍ୟାଳୟରେ ବଜ୍ରପାତ ନିରୋଧକ ବ୍ୟବସ୍ଥା(ଲିଇଟନିଂ ଆରେଷ୍ଟର) ରହିବ। ବଜ୍ରପାତ ସମୟରେ ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆବଶ୍ୟକ ସଚେତନ କରାଇବେ। ଏଥିପାଇଁ ଫାୟାର ଆଲାରାମ୍‌ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ କରାଯିବ। ସେହିପରି ଭୂକମ୍ପ, ପାଣିରେ ବୁଡ଼ିଯିବା, ସାପ କାମୁଡ଼ା ଭଳି ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାର କିପରି ତ୍ବରିତ ମୁକାବିଲା କରାଯାଇପାରିବ ସେଦିଗରେ ମଧ୍ୟ ସଚେତନ କରାଯିବ। ମରାମତି ଆବଶ୍ୟକ ଥିବା ବାତ୍ୟା-ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ସମସ୍ତ ଆଶ୍ରୟସ୍ଥଳୀଗୁଡ଼ିକରେ ବଜ୍ରପାତ ନିରୋଧକ ବ୍ୟବସ୍ଥା କାର୍ଯ୍ୟକ୍ଷମ ରଖିବା, କାର୍ଯ୍ୟକ୍ଷମ ନ ଥିବା କରତ ଓ ଟାୱାର ଆଲୋକସବୁକୁ ଅପସାରଣ ଓ ନୂଆ ଲଗାଇବା, ବଜ୍ରପାତ ସଂପର୍କରେ ଜନସାଧାରଣଙ୍କୁ ମୋବାଇଲ ଯୋଗେ ବାର୍ତ୍ତା ପ୍ରେରଣ ଆଦି ସଂପର୍କରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ସବୁ ସରକାରୀ କର୍ମଚାରୀଙ୍କୁ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ, ବିପର୍ଯ୍ୟୟ ସଂପର୍କରେ ପୂର୍ବାନୁମାନ ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା, ପ୍ରତି ଶିକ୍ଷାନୁଷ୍ଠାନରେ ସିଭିଲ ଡିଫେନ୍‌ସ ସ୍ବେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ। ଓସ୍‌ଡମାର ପୁନର୍ଗଠନ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ଗଠନ ସଂପର୍କରେ ପ୍ରସ୍ତାବ ଦିଆଯାଇଛି।

ବୈଠକରେ ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ସୁଶୀଲ ଲୋହାନୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, ଅଗ୍ନିଶମ ଓ ଆପାତକାଳୀନ ସେବା ମହାନିର୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆଶ୍ବଥୀ ଏସ୍‌, ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଆରୁମୁଗମ୍, ପୂର୍ବତନ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା, ସମାଜସେବୀ ଜଗଦାନନ୍ଦ ଓ ଓସ୍‌ଡମାର ପରିଚାଳନା ନିର୍ଦେଶକ ଜ୍ଞାନ ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।