କିଚକେଶ୍ବରୀ ମନ୍ଦିରରେ ବଜ୍ରପାତ: ଖସିପଡ଼ିଲା କଳସ ଓ ତ୍ରିଶୂଳ

ଫାଟିଗଲା ଇନ୍‌ଭର୍ଟର୍‌ ବ୍ୟାଟେରି

ଶୁକୃଳି,: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ଉପରେ ବଜ୍ରପାତ ଯୋଗୁଁ ଖସିପଡ଼ିଛି କଳସ ଓ ତ୍ରିଶୂଳ। ସୂଚନା ଅନୁଯାୟୀ; ଆଜି ସଂଧ୍ୟାରେ ଶୁକୃଳି ବ୍ଲକ୍ ଅଞ୍ଚଳରେ ବର୍ଷା ହେବାସହ ଘଡ଼ଘଡ଼ି ମାରିଥିଲା। ଏତିକିବେଳେ ଖିଚିଂସ୍ଥିତ କିଚକେଶ୍ୱରୀ ମନ୍ଦିର ଉପରେ ବଜ୍ରପାତ ହୋଇଥିଲା। ଫଳରେ ମନ୍ଦିର ଦଧିନଉତିରେ ଲାଗିଥିବା କଳସ, ପତାକା ଓ ତ୍ରିଶୂଳ ଖସିପଡ଼ିଥିଲା। ଏହାସହିତ ମନ୍ଦିର ଭିତରେ ଥିବା ଇନ୍‌ଭର୍ଟର୍‌ ବ୍ୟାଟେରି ମଧ୍ୟ ଫାଟିଯାଇଥିଲା। ତେବେ ଏହି ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନି।

ମନ୍ଦିର ପୂଜକ ଅଜୟ ସାହୁଙ୍କ କହିବା ଅନୁସାରେ; ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅବହେଳା ଯୋଗୁଁ ପୂର୍ବରୁ ୩ ଥର ଏଭଳି ଅଘଟଣ ଘଟିଛି। କଳା ମୁଗୁନୀ ପଥରରେ ତିଆରି ଐତିହାସିକ କିଚକେଶ୍ୱରୀ ମନ୍ଦିରରେ ଏଯାଏ ଇଲେଟ୍ରିକ୍ ଆର୍ଥିଂ ବ୍ୟବସ୍ଥା ହୋଇନି। ସୂଚନାଯୋଗ୍ୟ‌; ନିର୍ବାଚନ ଜିତିବା ପରେ ଗତ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ କିଚକେଶ୍ବରୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ। ଏପରି ସମୟରେ ସମସ୍ୟା ବାବଦରେ ଉଭୟଙ୍କୁ ଅବଗତ କରାଯିବ। ଫଳରେ ମନ୍ଦିର ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ ବୋଲି ଭକ୍ତମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର