ଝାରସୁଗୁଡ଼ା: ଦୀର୍ଘ ୭ ଦଶନ୍ଧି ପରେ ବିଜୁଳି ଆଲୁଅ ଦେଖିଲେ ହୀରାକୁଦ ବିସ୍ଥାପିତ ତେତଲିଆବାହାଲବାସୀ। ଗତ ୯ ତାରିଖରେ ‘ସମ୍ବାଦ’ରେ ‘୭୦ ବର୍ଷ ପରେ ବି ଦେଖିନାହାନ୍ତି ବିଜୁଳି ଆଲୋକ’ ଶୀର୍ଷକ ଖବର ପ୍ରକାଶନ ପରେ ଏହା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଟ୍ବିଟର୍‌ରେ ଲୋକଙ୍କ ମାଳ ମାଳ ପ୍ରଶ୍ନର ଉତ୍ତର ଦେଇ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଡିସେମ୍ବର ପହିଲାରେ ବିଜୁଳି ସଂଯୋଗ ହେବ ବୋଲି କହିଥିଲେ। ଶୁକ୍ରବାର ତେତଲିଆବାହାଲରେ ବିଜୁଳି ସଂଯୋଗ ହୋଇ ଟ୍ରାଏଲ୍‌ ରନ୍‌ ଶେଷ ହୋଇଛି। ଜନ୍ମରୁ ଗାଁରେ ବିଜୁଳି ଦେଖିନଥିବା ଗ୍ରାମବାସୀ ଏବେ ଘରେ ବିଜୁଳିବତି ଜଳିବା ଦେଖି ଆନନ୍ଦ ପ୍ରକାଶ କରିଛନ୍ତି। ଆସନ୍ତା ୩ ତାରିଖରେ ବିଧିବଦ୍ଧ ଭାବେ ଏହି ବିଜୁଳି ସଂଯୋଗୀକରଣ ଉଦ୍‌ଘାଟିତ ହେବ ବୋଲି ସରପଞ୍ଚ ସୀମା ସାହୁ କହିଛନ୍ତି।

Advertisment

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳରୁ ୮ କିମି ଓ ଲଖନପୁର ବ୍ଲକ୍‌ରୁ ମାତ୍ର ୯ କିମି ଦୂରରେ ଥିବା ବଞ୍ଜାରି ପଞ୍ଚାୟତର ତେତଲିଆବାହାଲ ହେଉଛି ହୀରାକୁଦ ବିସ୍ଥାପିତଙ୍କ ଗ୍ରାମ। ବନ୍ଧ ନିର୍ମାଣ ପରେ ୧୯୫୭ ମସିହାରେ ସାଗରପାଲିର ୨୪ଟି ଭୂମିହୀନ ପରିବାରକୁ ପୁଲିସ୍ ଲଗାଇ ତଡ଼ି ଦିଆଯାଇଥିଲା। ସେମାନେ ବିକ୍ରମଖୋଲ ଜଙ୍ଗଲରେ ଗଛ ତଳେ ଆଶ୍ରୟ ନେଇଥିଲେ। ସେବେଠୁ ଉକ୍ତ ଜଙ୍ଗଲ ହିଁ ସେମାନଙ୍କର ଆଶ୍ରୟସ୍ଥଳୀ ପାଲଟିଯାଇଛି। କିନ୍ତୁ ନଦୀବନ୍ଧ ପାଇଁ ଭିଟାମାଟି ହରାଇଥିବା ଏହି ଲୋକଙ୍କୁ ବିଜୁଳି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଥିଲା। ସନ୍ଧ୍ୟା ହେଲେ ଘରେ ଘରେ ଡିବିରି ଜଳୁଥିଲା। ଜଙ୍ଗଲ ବିଭାଗ ଦେଇଥିବା ସୋଲାର ଲାଇଟ୍‌ ବି କାମ କରୁନି। ଫଳରେ ଲୋକେ ଅନ୍ଧାରରେ ଜିଉଁଥିଲେ। ନିକଟରେ ଏହି ଗାଁକୁ ବିଜୁଳି ସଂଯୋଗ ଲାଗି ଜିଲ୍ଲା ଖଣିଜ ପାଣ୍ଠିରୁ ୪୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପାଣ୍ଠି ଅଭାବ ହେବାରୁ ଠିକାଦାର ଗ୍ରାମରେ କେବଳ ଖୁଣ୍ଟ ପୋତି ଛାଡ଼ି ଦେଇଥିଲା। ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ପ୍ରଥମେ ବିଡିଓ ଓ ପରେ ଖୋଦ୍‌ ଜିଲ୍ଲାପାଳ ଉକ୍ତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ବିଜୁଳି ଯୋଗାଣ ଲାଗି ଘୋଷଣା କରିଥି‌ଲେ।