ମାଲକାନଗିରି : ମାଲକାନଗିରି ସଦର ବ୍ଲକ୍ର ଦୁଇଟି ସ୍ଥାନରେ ବୁଧବାର ଦିନ ବଜ୍ରପାତରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାଷ ଜମିରେ ଘାସ ବାଛିବା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଦ୍ବୟ ରାଉଲିଗୁଡା ଗାଁର ଦଇମତି ଖିଲ(୨୬) ଏବଂ ବାଉଁଶଗୁଡ଼ା ଗାଁର ଲକ୍ଷ୍ମୀ କୋପେ (୧୭) ବୋଲି ଜଣାପଡ଼ିଛି।
ବୁଧବାର ସକାଳେ ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ରାଉଲିଗୁଡ଼ା ଏବଂ ବାଉଁଶଗୁଡ଼ା ଗାଁର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଜମିକୁ ଚାଷ କରିବାକୁ ଯାଇଥିଲେ। ମଧ୍ୟାହ୍ନରେ ହଠାତ୍ ପାଗ ବଦଳିବା ସହ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ସମସ୍ତେ ସୁରକ୍ଷିତ ସ୍ଥାନକୁ ଯିବା ପୂର୍ବରୁ ଚାଷ ଜମିରେ ବଜ୍ରପାତ ହୋଇଥିଲା। ଫଳରେ ରାଉଳିଗୁଡ଼ା ଗାଁର ଦଇମତି ଖିଲ, ଦୁଶୀଳା ଖିଲ (୧୬), ଦୀପା ପାଙ୍ଗୀ (୧୫) ଗୁରୁତର ହୋଇଥିଲେ। ଠିକ୍ ସେହି ସମୟରେ ବାଉଁଶଗୁଡ଼ାରେ ମଧ୍ୟ ବଜ୍ରପାତ ହେବାରୁ ଲକ୍ଷ୍ମୀ କୋପେ ଏବଂ ଚିନ୍ତା ଖିଲ (୧୭) ଗୁରୁତର ହୋଇଥିଲେ। ଉଭୟ ସ୍ଥାନରୁ ସମସ୍ତଙ୍କୁ ଉଦ୍ଧାର କରିବା ପରେ ପାଣ୍ଡ୍ରିପାଣି ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଦଇମତି ଏବଂ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।