ରିତେନ୍ଦ୍ର ଛାଟୋଇ
ବାଲେଶ୍ବର: ବାଲେଶ୍ବରରେ ବଜ୍ରପାତ ପ୍ରାଣଘାତୀ ସାଜୁଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଦ୍ବିତୀୟ ସର୍ବାଧିକ ଲୋକ ଏଠାରେ ଜୀବନ ହରାଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ଅନ୍ୟପଟେ ପ୍ରତିକାର ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ତାଳଗଛ ଲଗାଇବା ନେଇ ସ୍ବତନ୍ତ୍ର ଯୋଜନା କରିଥିବା ବେଳେ ତାହା ପଛେଇ ଯାଇଛି।
ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ତଥ୍ୟ ଅନୁସାରେ; ୨୦୨୦ରୁ ୨୦୨୫ ମସିହା ମଧ୍ୟରେ ବାଲେଶ୍ବରରେ ବଜ୍ରାଘାତ ଯୋଗୁ ରାଜ୍ୟର ଦ୍ବିତୀୟ ସର୍ବାଧିକ ୧୧୦ ଜଣଙ୍କ ଜୀବନ ଯାଇଛି। ପଡ଼ୋଶୀ ମୟୂରଭଞ୍ଜରେ ବଜ୍ରାଘାତଜନିତ ମୃତ୍ୟୁ ସଂଖ୍ୟା ରହିଛି ୧୩୪, ଯାହା ରାଜ୍ୟରେ ସର୍ବାଧିକ। ଉପରୋକ୍ତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ଦର୍ଶାଯାଇଥିବା ବେଳେ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ବାଲେଶ୍ବରରେ ଅଧିକ ବଜ୍ରପାତ ହେବା ପଛରେ ଭୌଗୋଳିକ ଓ ପରିବେଶଗତ କାରଣ ରହିଛି। ଫକୀରମୋହନ ବିଶ୍ବବିଦ୍ୟାଳୟର ଭୂଗୋଳ ବିଭାଗ ମୁଖ୍ୟ ପ୍ରଫେସର ମନୋରଞ୍ଜନ ମିଶ୍ରଙ୍କ କହିବା ଅନୁସାରେ, ଏଠାରେ ସୁଦୀର୍ଘ ସମୁଦ୍ରତଟ ଥିବା ବେଳେ ଆର୍ଦ୍ରତା ରହୁଛି। ସେହିପରି ଅନେକ ଛୋଟ ଛୋଟ ପାହାଡ଼ ମଧ୍ୟ ଅଛି। ଖଣିଖାଦନରୁ ପ୍ରଚୁର ଧୂଳି ଉଡ଼ୁଛି। ଯାହା କାଳବୈଶାଖୀ ଓ ବର୍ଷା ସମୟରେ ବଜ୍ରପାତ ସଂଗଠିତ ହେବା ପାଇଁ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରୁଛି।
୫ ବର୍ଷରେ ରାଜ୍ୟର ଦ୍ବିତୀୟ ସର୍ବାଧିକ ମୃତ୍ୟୁ
୭ ବର୍ଷରେ ଲାଗିଛି ମାତ୍ର ୧୦୦୦ ତାଳଗଛ
ସଜାଗ ହେଉ ବନ ବିଭାଗ, ଲୋକଙ୍କୁ ସଚେତନ କରାଯାଉ
ବଜ୍ରପାତ ସାଧାରଣତଃ ଉଚ୍ଚସ୍ଥାନରେ ହୋଇଥାଏ। ଏପରି ସମୟରେ ଜୀବନ ହାନି ଓ କ୍ଷୟକ୍ଷତି ନ ହେବା ଦିଗରେ ଉଚ୍ଚ ତାଳ ଓ ନଡ଼ିଆଗଛ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ସରକାର ୨୦୧୮ ମସିହାରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଧିକରୁ ଅଧିକ ତାଳଗଛ ଲଗାଇବା ପାଇଁ ଯୋଜନା କରିଥିଲେ। ହେଲେ କିଛି କାମ ହେଲାନି। ତେଣୁ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ତାଳଗଛ ଲଗାଇବା ପାଇଁ ବନ ବିଭାଗକୁ ପୁଣି ନିର୍ଦ୍ଦେଶ ଦେଲେ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୭.୫୯ କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କଲେ। ଏଥର ବି ନିର୍ଦ୍ଦେଶ ଠିକ୍ ଭାବେ ପାଳନ ହେଲାନି। ବାଲେଶ୍ବର ଜିଲ୍ଲାରେ ଏଯାଏଁ ମାତ୍ର ୧ ହଜାର ତାଳଚାରା ରୋପଣ କରାଯାଇଛି। ଯାହା ରାଜ୍ୟରେ ସର୍ବନିମ୍ନ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ସୂଚନାରୁ ସ୍ପଷ୍ଟ ହୋଇଛି।
ବାଲେଶ୍ବର ବନଖଣ୍ଡରେ ଏତେ କମ୍ ସଂଖ୍ୟକ ତାଳଚାରା କାହିଁକି ରୋପଣ କରାଗଲା, ସେ ନେଇ ଜାଣିବା ପାଇଁ ଏସିଏଫ୍ ଦିଗନ୍ତ ଶୋଭନ ଚାନ୍ଦଙ୍କୁ ପଚରାଯାଇଥିଲା। ସେ କହିଛନ୍ତି, ଅନ୍ୟ ଜିଲ୍ଲା ବନଖଣ୍ଡ ତୁଳନାରେ ବାଲେଶ୍ବର ବନଖଣ୍ଡରେ ଫରେଷ୍ଟ ବ୍ଲକ୍ ଅଞ୍ଚଳ କମ ରହିଛି। ଯେଉଁଥିପାଇଁ ଅଧିକ ସଂଖ୍ୟାରେ ତାଳଗଛ ଲାଗିପାରିନି। ସଂରକ୍ଷିତ ଜଙ୍ଗଲ ସହ ଆବଶ୍ୟକ ଜମି ମଧ୍ୟ କମ ଅଛି। ସରକାର ଯଦି ବନ ବିଭାଗର ଜମି ବ୍ୟତୀତ ଅନ୍ୟ ଜମିରେ ତାଳଗଛ ଲଗାଇବାକୁ ଅନୁମତି ଦେବେ, ତେବେ ତାଳଗଛ ରୋପଣ ସଂଖ୍ୟା ବଢ଼ିବ। ବଜ୍ରପାତ ଦୃଷ୍ଟିରୁ ବାଲେଶ୍ବର ସଂଗିନ ସ୍ଥିତିରେ ଥିବା ବେଳେ ବନ ବିଭାଗ ସଜାଗ ହେଉ ଏବଂ ଧନଜୀବନ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ତାଳଗଛ ଲଗାଇବା ପାଇଁ ପରିବେଶବିତ୍ ମନୋରଂଜନ ଦାସ ଦାବି କରିଛନ୍ତି। ସେହିପରି ନିଜ ନିଜ ବାଡ଼ିବଗିଚାରେ ତାଳଗଛ ଲଗାଇବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/17/plyBCnQ8xbraEZOGUA8C.jpg)