ବରୀ/ଡେରାବିଶ : ଚାଷ ବିଲରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇଟି ପୃଥକ୍ ଜାଗାରେ ଏହି ଘଟଣା ଘଟିଛି। ସେଥିମଧ୍ୟରୁ ଗୋଟିଏ ଘଟଣା କେନ୍ଦ୍ରାପଡ଼ାର ଡେରାବିଶରେ ଘଟିଛି। ଆରଟି ଘଟିଛି ଯାଜପୁରର ବରୀରେ।
ଆଜି ମଧ୍ୟାହ୍ନ ସମୟରେ କେନ୍ଦ୍ରାପଡ଼ା ଓ ଯାଜପୁରର କେତେକ ଜାଗାରେ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଡେରାବିଶ ବ୍ଲକ୍ ଅନ୍ତର୍ଗତ ଛୋଟି ଗ୍ରାମର ଦୁଇ ବୃଦ୍ଧ ଭ୍ରାତା ଆନନ୍ଦ ଚରଣ ମହାନ୍ତି (୮୦) ଓ ଗୈାରାଙ୍ଗ ଚରଣ ମହାନ୍ତି (୭୨) ଏହି ସମୟରେ ବିଲରେ କାମ କରୁଥିଲେ। ବଜ୍ରପାତ ଯୋଗୁ ସାନଭାଇ ଗୌରାଙ୍ଗ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ବଡ଼ଭାଇ ଆନନ୍ଦ ଗୁରୁତର ଆହତ ହୋଇଛନ୍ତି। ସେ ଶ୍ରବଣ ଶକ୍ତି ହରାଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିଭଳି, ବରୀ ବ୍ଲକ ଶ୍ରୀରାମପୁର ଗ୍ରାମର ନନ୍ଦକିଶୋର ମଲିକଙ୍କ ପତ୍ନୀ ଟୁକୁନା ମଲିକ(୪୫) ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଟୁକୁନା ଶ୍ରୀରାମପୁର ପାଟରେ ଧାନକ୍ଷେତରେ କାମକରୁଥିବା ବେଳେ ବଜ୍ରପାତ ହୋଇଥିଲା। ତାଙ୍କୁ ଆହତ ଅବସ୍ଥାରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉଭୟ ଘଟଣାରେ ସମ୍ପୃକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/lighting.jpg)