ରାୟଗଡା: ମ୍ୟାଲେରିଆ, କଲେରା ଜନିତ ମୃତ୍ୟୁ ପାଇଁ ବାରମ୍ବାର ଅପବାଦ ମୁଣ୍ଡାଉଛି ରାୟଗଡ଼ା ଜିଲ୍ଲା। କିନ୍ତୁ ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ। ଗତ ୫ବର୍ଷରେ ବଜ୍ରପାତ ଏବଂ ପାଣିରେ ବୁଡ଼ି ଜିଲ୍ଲାରେ ପାଖାପାଖି ଦେଢ଼ ଶହ ଜୀବନ ଦୀପ ଅକାଳରେ ଲିଭିଯାଇଛି। ସରକାରୀ ତଥ୍ୟ ଅନୁସାରେ ଗତ ୫ବର୍ଷରେ ବଜ୍ରପାତରେ ୬୬ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ୮୦ଜଣ ପାଣିରେ ବୁଡ଼ି ଜୀବନ ହାରିଥିବା ଜଣାପଡ଼ିଛି। ୨୦୨୪ ମସିହାରେ ୮ଜଣ ବଜ୍ରପାତରେ ମୃତ୍ୟୁବରଣ କରିଥିବା ବେଳେ, ୨୦୨୩ରେ ୧୯ଜଣ, ୨୦୨୨ରେ ୧୪ଜଣ, ୨୦୨୧ରେ ୧୦ଜଣ ଓ ୨୦୨୦ ମସିହାରେ ୧୫ଜଣ ମୃତ୍ୟୁବରଣ କରିଛନ୍ତି। ଚଳିତବର୍ଷ ବଜ୍ରପାତରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି। ପାଖାପାଖି ୫୦୦ ଗୃହପାଳିତ ପଶୁ ମଧ୍ୟ ବଜ୍ରପାତର ଶିକାର ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚାଷୀ, ଗାଈ ଜଗୁଆଳି, କୃଷି ଶ୍ରମିକ ଓ ଛାତ୍ରଛାତ୍ରୀ।

Advertisment

ବଜ୍ରପାତରୁ ରକ୍ଷା ପାଇବା ପାଇଁ ସରକାର ସଚେତନ କରୁଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ଜନିତ ସତର୍କ ସୂଚନା ପୂର୍ବରୁ ଦିଆଯାଉଛି। ତେବେ ଗ୍ରାମାଞ୍ଚଳରେ ଏହି ସୂଚନା ପହଞ୍ଚି ପାରୁନି। ଯାହାଫଳରେ ଗ୍ରାମାଞ୍ଚଳରେ ସର୍ବାଧିକ ମୃତ୍ୟୁ ହେଉଛି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ମୃତ୍ୟୁ ହାର କମାଇବା ପାଇଁ ଆଲୋଚନା ହେଉଥିଲେ ସୁଦ୍ଧା ପଦକ୍ଷେପ କାଗଜ କଲମରେ ସୀମିତ ରହୁଛି। ସେହିପରି ଗତ ୫ବର୍ଷ ମଧ୍ୟରେ ରାୟଗଡା ଜିଲ୍ଲାର ବିଭିନ୍ନ ନଦୀ, ନାଳ ତଥା ପୋଖରୀରେ ବୁଡ଼ି ୮୦ଜଣ ମୃତ୍ୟୁବରଣ କରିଛନ୍ତି। ୨୦୨୪ ମସିହାରେ ୧୮ଜଣ, ୨୦୨୩ରେ ୨୨ଜଣ, ୨୦୨୨ରେ ୧୭ଜଣ, ୨୦୨୧ରେ ୬ଜଣ ଓ ୨୦୨୦ ମସିହାରେ ୧୭ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ରାୟଗଡ଼ାର ନିଷିଦ୍ଧ ପର୍ଯ୍ୟଟନସ୍ଥଳ ଝୁଲାପୋଲ ନିକଟସ୍ଥ ନାଗାବଳୀ ନଦୀରେ ବୁଡ଼ି ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ୫ବର୍ଷରେ ସାପ କାମୁଡାରେ ୩୯ଜଣ ଓ ନିଆଁରେ ପୋଡ଼ି ୧୯ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏ ନେଇ ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା କହିଛନ୍ତି, ରାୟଗଡା ଜିଲ୍ଲା ଆଦିବାସୀ ବହୁଳ ଏବଂ ଉପାନ୍ତ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ସମ୍ଭାବ୍ୟ ବିପର୍ଯୟ ସୂଚନା ସଂପର୍କରେ ଲୋକ ଜାଣିପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ନିର୍ବାଚିତ ପ୍ରତିନିଧି ଓ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସମ୍ଭାବ୍ୟ ସୂଚନା ସଂପର୍କରେ ଆଗୁଆ ଅବଗତ କରିପାରିଲେ ବହୁ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ।