ଖଣ୍ଡଗିରି: ଅପରାହ୍ନ ୩ଟା ୧୮ ମିନିଟ। ଶ୍ରେଣୀ ଗୃହରେ ପଢ଼ା ଚାଲିଥାଏ ବିଜ୍ଞାନ। ବର୍ଷା ହେଉଥିବାରୁ ପିଲାଙ୍କ ଭିତରେ ଉତ୍କଣ୍ଠା ଭରି ରହିଥାଏ। ହଠାତ୍‌ ବୋମା ଫୁଟିବା ଭଳି ଶବ୍ଦ ଛାତ୍ରଛ‌ାତ୍ରୀଙ୍କୁ ସ୍ତବ୍ଧ କରିଦେଲା। ପିଲାଙ୍କ ଭିତରେ କୋକୁଆଭୟ ଖେଳିଗଲା। ବଜ୍ରପାତ ହୋଇଛି ବୋଲି ଜଣାପଡ଼ିବା ଭିତରେ କିଛି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥ‌‌ା ବିଗିଡ଼ିବା ସହ ଜଣେ ଛ‌ାତ୍ରୀ ଚେତାଶୂନ୍ୟ ହୋଇଗଲେ। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ‌କ୍ୟାପିଟାଲ ଡାକ୍ତରଖାନା ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଯାଇଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଜଣେ ଛାତ୍ର ଡାକ୍ତରଖାନାରେ ଅଛନ୍ତି।

Advertisment

ଘଟଣାଟି ଘଟିଛି ସିଆର୍‌ପି ବରମୁଣ୍ଡା ସରକାରୀ ଉଚ୍ଚବିଦ୍ୟ‌ାଳୟରେ। ସୋମବାର ଅପରାହ୍ନ‌ରେ ବିଦ୍ୟାଳୟର ପ୍ରଥମ ମହଲାରେ ଷଷ୍ଠ ‘ବି’, ସପ୍ତମ ‘ଏ’ ଓ ‘ବି’ର ପ୍ରାୟ ୧୪୬ ଛାତ୍ରଛାତ୍ରୀ ପଢ଼ୁଥିଲେ। ସପ୍ତମ ‘ଏ’ରେ ବିଜ୍ଞାନ ଶିକ୍ଷୟିତ୍ରୀ ବବିତା ନାୟକ ପାଠ ପଢ଼ାଉଥିଲେ। ଏହି ସମୟରେ ଭୀଷଣ ଶଦ୍ଦରେ ବଜ୍ରପାତ ହୋଇଥିଲା। ସ୍କୁଲ୍‌‌ର ଟେବୁଲ୍‌ ବେଞ୍ଚ୍‌ ଲୁହାର ହୋଇଥିବାରୁ ବଜ୍ରପାତର ପ୍ରଭାବ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଆକ୍ରାନ୍ତ କରିଥିଲା। ଘଟଣାସ୍ଥଳରେ ସୁମିତ୍ରା ସାହୁ ଅଚେତ ହୋଇ ପଡ଼ି ଯାଇଥିଲେ। ଅନ୍ୟ ଛାତ୍ରଛାତ୍ରୀଙ୍କୁ କରେଣ୍ଟ ଲାଗିବା ଭଳି ଅନୁଭବ ‌ହୋଇଥିଲା। ପାଖାପାଖି ୮ ଛାତ୍ରଛାତ୍ରୀଙ୍କ ଡାହାଣ ହାତ ନିସ୍ତେଜ ହୋଇ ଯାଇଥିଲା। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିଛି ଛାତ୍ରଛାତ୍ରୀଙ୍କର ସେମାନଙ୍କ ହାତ କାମ କରୁ ନଥିବା କହୁଥିବା ବେଳେ କିଛି ମୁଣ୍ଡ ବୁଲେଇବା କଥା କହିଥିଲେ।

ସୁମିତ୍ରା ସାହୁ, ଆରାଧ୍ୟା ଦିଗଲ, ଲାକିନା ଦଳେଇ, ସୋନାଲି ପାଢ଼ୀ, ମୁଫିଜୁଲ୍‌ ଜସ୍ଲମ ଖାନ ଓ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦେଇଥିଲେ। ତେବେ ୱାଟ୍‌ସନ ନାୟକଙ୍କ ହାତ ଓ କାନ୍ଧ ଅଧିକ ପ୍ରଭାବିତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ରଖାଯାଇଥିଲା। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଜାଣିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ପଣ୍ଡା କହିଛନ୍ତି, ‘‘ରାତି ସାଢ଼େ ୧୦ ବେଳକୁ ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିଥିଲେ। ସ୍କୁଲରେ ଆଜି ୭୮୧ ଜଣ ଛ‌ାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଭଗବାନଙ୍କ ଦୟାରୁ ବଡ଼ ବିପଦରୁ ବଞ୍ଚି ଯାଇଛୁ।’’ ଘଟଣାକୁ ନେଇ ଅପପ୍ରଚାର ନ କରିବାକୁ ସେ ନିବେଦନ କରିଛନ୍ତି।