ମହାନଦୀ ପରି ମହାନଦୀ ଟ୍ରିବ୍ୟୁନାଲର ମଧ୍ୟ ଅପମୃତ୍ୟୁ : ସୁଦର୍ଶନ

ଆଲୋଚନା ପାଇଁ ମାର୍ଚ୍ଚ ୨୮ରେ ସର୍ବଦଳୀୟ ସଭା

ସମ୍ବଲପୁର : ମହାନଦୀ ଆଜି ଅପମୃତ୍ୟୁର ଶିକାର ହୋଇସାରିଛି। ଓଡ଼ିଶାବାସୀ ଏହି ଅପମୃତ୍ୟୁରୁ ମହାନଦୀକୁ ମହାନଦୀ ଟ୍ରିବ୍ୟୁନାଲ ରକ୍ଷା କରିବ ବୋଲି ଆଶା କରିଥିଲେ। ମାତ୍ର, ସେ ଟ୍ରିବ୍ୟୁନାଲ୍‌ର ଏବେ ଅପମୃତ୍ୟୁ ହୋଇଗଲା ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି। ଟ୍ରିବ୍ୟୁନାଲର ଅପମୃତ୍ୟୁ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶ୍ରୀ ଦାସ ଦାୟୀ କରିଛନ୍ତି।

ସୋମବାର ଦିନ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଥିଲେ, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ ଅନେକ ପ୍ରକଳ୍ପ କରି ନଦୀର ପ୍ରବାହକୁ ଅଟକାଇବାର ଚେଷ୍ଟା କରାଯିବା ପରେ ଓଡ଼ିଶା ଓ ଛତିଶଗଡ଼ ଭିତରେ ସୃଷ୍ଟି ହୋଇଥିବା ଜଳ ବିବାଦର ସମାଧାନ ପାଇଁ ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ଅନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ ଏହି ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ୨୦୧୯ ମସିହାରେ କେନ୍ଦ୍ର ସରକାର ଏହି ଆଇନରେ ସଂଶୋଧନ ଆଣିଥିଲେ। ଯେଉଁଥିରେ ନଦୀ ଟ୍ରିବ୍ୟୁନାଲଗୁଡ଼ିକ ତିନି ବର୍ଷ ଭିତରେ ରାୟ ଶୁଣାଇବା ପାଇଁ ନିର୍ଦ୍ଦେଶ ରହିଥିଲା। ଯଦି ସେହି ସମୟ ଭିତରେ ରାୟ ଶୁଣାଇବାରେ ଅକ୍ଷମ ହୁଅନ୍ତି, ତେବେ ଆଉ ଦୁଇ ବର୍ଷ ସମୟ ସୀମା ବଢ଼ାଇବାର ପ୍ରାବଧାନ ରଖାଯାଇଛି। ଅର୍ଥାତ୍ ୫ ବର୍ଷ ଭିତରେ ଟ୍ରିବ୍ୟୁନାଲ ତାଙ୍କ ରାୟ ଶୁଣାଇବାକୁ ବାଧ୍ୟ ଅଟନ୍ତି। ମାତ୍ର, ମହାନଦୀ ଟ୍ରିବ୍ୟୁନାଲ କ୍ଷେତ୍ରରେ ତାହା ବିଫଳ ହୋଇଛି। ୫ ବର୍ଷ ଭିତରେ ଟ୍ରିବ୍ୟୁନାଲର ୩୫ ଟି ଅଧିବେଶନ ବସିଛି। କିନ୍ତୁ, ମାମଲାର ଶୁଣାଣି ଆରମ୍ଭ ହୋଇପାରିଲା ନାହିଁ। ଗତ ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ସରିଯାଇଛି। କେନ୍ଦ୍ର ସରକାର ଏବେ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାଳକୁ ବୃଦ୍ଧି କଲେ ନାହିଁ। ଫଳରେ ଟ୍ରିବ୍ୟୁନାଲର ଭାଗ୍ୟ ଏବେ ତ୍ରିଶଙ୍କୁ ଅବସ୍ଥାରେ, ଯେମିତି ମହାନଦୀର ଅବସ୍ଥା ବୋଲି ସେ କହିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ମହାନଦୀ ବି ଶୁଖିଲା ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆସନ୍ତା ୨୮ ତାରିଖରେ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ପ୍ରମୁଖ ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀଙ୍କୁ ନେଇ ଭୁବନେଶ୍ବରରେ ଏକ ସଭା ଆୟୋଜନ କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆସଫ ଅଲ୍ଲୀ ଖାନ୍ ମଧ୍ୟ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର