ପଛକୁ ପଛ ଦୁଇଟା ଲଘୁଚାପ, ଶେଷ ସପ୍ତାହରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ୧୦ଦିନ ରାଜ୍ୟରେ ପର୍ଯ୍ୟାୟକ୍ରମେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ମଡେଲ୍ କହିଲାଣି।

ଗୋଟିଏ ଘୂର୍ଣିବଳୟ ବର୍ତ୍ତମାନ ବଙ୍ଗୋପସାଗରରେ ରହିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଦୁଇଟି ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଗୁଡିକ ଦକ୍ଷିଣ ଚାଇନା ସାଗରରୁ ପଶ୍ଚିମ ଦିଗକୁ ଗତି କରି ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ମୁହାଁଉଛନ୍ତି। ଏହା ମଧ୍ୟରୁ ଗୋଟିଏ ଘୂର୍ଣ୍ଣିବଳୟ ବର୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ଠାରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ୨୦ରୁ ୨୨ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେଓଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ସେହିପରି ୨୪ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୫ରେ ଏହା ଲଘୁଚାପରେ ପରିଣତ ହେବ ଏବଂ ୨୬ରେ ଅବପାତର ରୂପ ନେବ। ଏହା ପ୍ରଭାବରେ ୨୬ ଓ ୨୭ ତାରିଖରେ ଉପକୂଳ ଓଡିଶା ଓ ଏହାର ସଂଲଗ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ଭଦ୍ରକ ଜିଲ୍ଲା ଦେଇ ଉତ୍ତର ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି। ଏହାର ପ୍ରଭାବ ନକମୁଣୁ ୨୬ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ଥିବା ବେଳେ ୨୮ ତାରିଖ ସୁଦ୍ଧା ଏହା ଲଘୁଚାପ ରେ ପରିଣତ ହେବ। ଯାହା ପ୍ରଭାବରେ ଆସନ୍ତା ୧୦ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସପ୍ତାହେ ପରେ ରାଜ୍ୟରେ ଅବପାତଜନିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ସମସ୍ତ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ। ଉଭୟ ଜିଏଫ୍‌ଏସ୍‌-ଏନ୍‌ସିଇପି ଓ ଇସିଏଚ୍‌ଡବ୍ଲ୍ୟୁଏଫ୍‌ ମଡେଲରୁ ଜଣାପଡ଼ୁଛି, ଦକ୍ଷିଣ ଚୀନ୍‌ ସାଗରରୁ ଲଘୁଚାପ ବଳୟର ଅବଶିଷ୍ଟାଂଶ ଆସି ସେପ୍ଟେମ୍ବର ୨୩ରେ ମିଆଁମାର ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି କରିବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ଉପକୂଳ ନିକଟକୁ ଆସିବା ବେଳକୁ ସମ୍ଭବତଃ କିଛି ମାତ୍ରାରେ ଦୁର୍ବଳ ହୋଇପାରେ। ତେବେ ଏହା ପ୍ରଭାବରେ ୨୬ରୁୁ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହେବ। ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହାର ପ୍ରଭାବ ରହିବ। ୨୭ ଓ ୨୮ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପା‌ରେ। ଏହାର ଗତିପଥ କ’ଣ ରହିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଉଭୟ ଏନ୍‌ସିଇପି ଓ ଇସିଏଚ୍‌ଡବ୍ଲ୍ୟୁଏଫ୍ କହୁଛି, ରାଜ୍ୟରେ ଏହାର ପ୍ରଭାବ ରହିବ। ଇସିଏଚ୍‌ଡବ୍ଲ୍ୟୁଏଫ୍ କହୁଛି, ଏହା ଓଡ଼ିଶା ସ୍ଥଳଭାଗ ଛୁଇଁବ ଓ ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ୨୩ ତାରିଖ ବେଳକୁ ଲଘୁଚାପ ବଳୟ ସୃଷ୍ଟି ହେବା ପରେ ଏବଂ ବର୍ତ୍ତମାନର ଲଘୁଚାପ ବଳୟ କେନ୍ଦ୍ରୀୟ ଭାରତକୁ ଯିବା ପରେ ଏହାର ଗତିପଥ ସହିତ କେତେ ଘନୀଭୂତ ହେବ ଓ ରାଜ୍ୟରେ ଏହାର କି ପ୍ରଭାବ ରହିବ; ସେ ନେଇ ସ୍ପଷ୍ଟ କହିହେବ ବୋଲି ସେ କହିଛନ୍ତି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ଏବେ ବି ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଥିବାବେଳେ ଆସୁଥିବା ଲଘୁଚାପ ଏହାକୁ ଭରଣା କରିବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ଷା ସିନା ଭରଣା ହୋଇଯିବ ହେଲେ ବିଳମ୍ବ ଯୋଗୁଁ ଚାଷ ପ୍ରଭାବିତ ହୋଇଯିବ।

ସମ୍ବନ୍ଧିତ ଖବର