୧୯ରେ ଆଉ ଏକ ଲଘୁଚାପ, ୧୮ରୁ ରାଜ୍ୟ‌‌‌ରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ରାଜ୍ୟ‌‌‌ରେ ପ୍ରବଳ ବର୍ଷା ହେବ। ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୧୪ ତାରିଖ‌ରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ସର୍ବାଧିକ ୨୪୦ ମିମି ବର୍ଷା ‌ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ମୟୂରଭଞ୍ଜ, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ଅତିପ୍ରବଳ ଏବଂ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ନୂଆପଡ଼ାଠାରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ଲଘୁଚାପ ବଳୟଟି ଆଜି ଧୀରଧୀରେ ଦୁର୍ବଳ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଅଞ୍ଚଳ‌‌ରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ(ସମୁଦ୍ର ପତ୍ତନଠାରୁ ୭.୬କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ)ର ପ୍ରଭାବ ଆସନ୍ତା ୨୪ଘଣ୍ଟା ରହିବ। ମୌସୁମୀ ଟ୍ରଫ୍‌ ଲାଇନ୍‌ ରାଜସ୍ଥାନର ବିକାନେର୍‌ରୁ ଆରମ୍ଭ କରି ଅଜମେର୍‌, ଗ୍ବାଲିୟର୍‌ ଦେଇ ଲଘୁଚାପ କେନ୍ଦ୍ର ମଧ୍ୟ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟ‌ାପିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ ୧୭ ତାରିଖ ଅପରାହ୍‌ଣ ସୁଦ୍ଧା ଏହାର ପ୍ରଭାବ କମିଯିବ। ‌‌‌‌ତେବେ ୧୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଆଉ ଏକ ଲଘୁଚାପ ପାଇଁ ୧୮ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ଲଘୁଚାପ ଉତ୍ତର ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ରହିଥିଲା। ଆସନ୍ତକାଲି ସାମାନ୍ୟ ପଶ୍ଚିମକୁ ଗତି କରି ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିବ। ୧୯ରେ ପୁଣି ଓଡ଼ିଶା, ପଶ୍ଚିମବଙ୍ଗ ଓ ସଂଲଗ୍ନ ବଙ୍ଗୋପସାଗରରେ ରହିବ। ୨୦ରେ ଉତ୍ତର ଓଡ଼ିଶା, ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ରହିବ। ମୌସୁମୀ ସକ୍ରିୟ ହେତୁ ଆସନ୍ତାକାଲି ବର୍ଷା ହେବ। ୧୮ ତାରିଖ ସଂଧ୍ୟାରୁ ୧୯ ତାରିଖ ସଂଧ୍ୟା ପର୍ଯ୍ୟନ୍ତରେ ୧୭ଟି ଉପକୂଳ ଜିଲ୍ଲା ସହ କେଉଁଝର ଓ ଢେଙ୍କାନାଳରେ ଭାରୀ ବର୍ଷା ହେବ। ସୁନ୍ଦରଗଡ଼ , ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀରରେ ଉପକୂଳ ଅପେକ୍ଷା ଅଧିକ ବର୍ଷା ହେବ। କେତେକ ସ୍ଥାନରେ ୧୦୦ମିମି ବର୍ଷା ହୋଇପାରେ। ବୌଦ୍ଧ, ଅନୁଗୁଳ, ଦେବଗଡ଼, ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହେବ। ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହେବ ମଧ୍ୟ ହୋଇପାରେ। ଅର୍ଥାତ ୧୦୦ ମିମିରୁ ଅଧିକ। ଗଞ୍ଜାମ, ଉପକୂଳ ବାଲେଶ୍ବର ଓ ମୟୂରଭଞ୍ଜରେ ମଧ୍ୟମ ଧରଣର ବର୍ଷା ହେବ। ୧୯ ସଂଧ୍ୟାରୁ ୨୦ ସଂଧ୍ୟାରେ ସମ୍ବଲପୁରଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ସମସ୍ତ ପଶ୍ଚିମ ଓଡ଼ିଶାରେ ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି, ନୂଆପଡ଼, ବଲାଙ୍ଗୀର ଓ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ବାକି ଅଞ୍ଚଳରେ ସ୍ଥ‌ାନେ ସ୍ଥାନେ ସ୍ବଳ୍ପ ବର୍ଷା ହେବ। ୨୧ ତାରିଖରେ ବର୍ଷା କମି ଯିବ ଓ ରାଜ୍ୟର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

ସମ୍ବନ୍ଧିତ ଖବର