ଓଡ଼ିଶାର ୭ ଜିଲ୍ଲା‌ରେ ଆଜି ହେବ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ଆସନ୍ତାକାଲି (ରବିବାର) ସକାଳୁ ସାରା ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷକରି ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି ଓ କୋରାପୁଟ ଆଦି ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିଯୋଗୁଁ ତଳିଆ ଅଞ୍ଚଳ‌ରେ ପାଣି ଜମିବା ସହ ଭୂ-ସ୍ଖଳନ, କଚ୍ଚା ରାସ୍ତା ଓ ଘର ଭାଙ୍ଗିଯିବାର ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ଆସନ୍ତାକାଲି ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼ ଓ କଳାହାଣ୍ଡି ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଅପରପକ୍ଷେ ମୌସୁମୀ ଟ୍ରଫ୍‌ ଲାଇନ୍‌ର ପୂର୍ବଭାଗ ବରେଲି, ଆଲ୍ଲାହାବାଦ, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି, ହୋଇ ଦକ୍ଷିଣ-ପୂର୍ବ ଆଡ଼କୁ ଗତି କରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ବ୍ୟାପିଛି। କିନ୍ତୁ ଏହାର ପଶ୍ଚିମ ଭାଗ ଏବେ ବି ହିମାଳୟ ପାଦଦେଶ ଆଡ଼କୁ ଗତି କରୁଛି। ଲଘୁଚାପର ପ୍ରଭାବରେ ମୌସୁମୀ ଟ୍ରଫ୍‌ ଲାଇନ୍‌ର ପୂର୍ବ ଭାଗ ଏବେ ନିଜ ପାରମ୍ପରିକ ସ୍ଥାନକୁ ଫେରିଛି। ଫଳରେ ଗତ କିଛି ଦିନ ହେଲା ରାଜ୍ୟରେ ଦୁର୍ବଳ ଥିବା ମୌସୁମୀ ସକ୍ରିୟ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୧୮ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସକାଳେ ବିଶାଖାପାଟଣାରୁ ବହୁ ଦୂରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିଲା। ତା’ ସହ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆକଳନ କରାଯାଉଛି ଯେ ରବିବାର ସକାଳ ସୁଦ୍ଧା ଦକ୍ଷିଣ ଚୀନ ସାଗରରୁ ‘ନୌଲ’ ମିଆଁମାର ଉପକୂଳରେ ଥିବା ଘୂର୍ଣ୍ଣିବଳୟ ସହ ମିଶି ଏକ ବିସ୍ତୃତ ଲଘୁଚାପ ବଳୟ ସୃଷ୍ଟି କରିବ। ସୋମବାର ଏହା ଓଡ଼ିଶା ଉପକୂଳରେ ରହିବ ଏବଂ ରାତିରେ ଏହା ପଶ୍ଚିମ ମୁହାଁ ହୋଇ ଉତ୍ତର ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ ଆଦି ସ୍ଥଳଭାଗକୁ ଗତି କରିବ। ଏହା ଦ୍ବାରା ରାଜ୍ୟରେ ୧୯ରୁ ୨୬ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ଓ ଊଣାଧିକେ ପ୍ରତିଦିନ ବର୍ଷା ହେବ। ତେବେ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ବିହାର ଅପେକ୍ଷା ଓଡ଼ିଶାରେ କମ୍‌ ବର୍ଷା ହେବ ବୋଲି ଶ୍ରୀ ପଶୁପାଳକ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର