୧୮ରେ ଉତ୍ତରରେ ଓ ୧୯ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ମାଆଁମାର ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୧୮ ତାରିଖ ଆଡ଼କୁ ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ୧୮ ତାରିଖ ଦିନ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ୧୯ ତାରିଖ ଆଡ଼କୁ ରାଜ୍ୟ‌ରେ ବର୍ଷାର ବିସ୍ତୃତି ବଢ଼ିବ। ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖ ଦିନ ବି ଏହି ଘୂର୍ଣ୍ଣିବଳୟର ପ୍ରଭାବ ରହିବ। ଏଣୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ସମ୍ବଲପୁର ଆଦିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର