ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳ ବର୍ଷିବ

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଦିନ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ବିଶେଷକରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ୭୦ରୁ ୨୦୦ ମିମି ଓ ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଖୋର୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଲଘୁଚାପଟି ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆସନ୍ତା ୪୮ଘଣ୍ଟାରେ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ଫଳରେ ରାଜ୍ୟରେ ୫ତାରିଖ ଦିନ ବର୍ଷାର ପ୍ରକୋପ କିଛି ମାତ୍ରାରେ କମିବ। କିନ୍ତୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଜଗପତି, ନବରଙ୍ଗପୁର, ନୂଆ‌ପଡ଼ା, କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Image Courtesy of News 18

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୋମବାର ଦିନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୪ ଓ ୫ ତାରିଖରେ ସମଗ୍ର ଉପକୂଳ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହେବ। ୭ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗରରେ ଏହି ମାସର ଦ୍ବିତୀୟ ଘୂର୍ଣ୍ଣିବଳୟ ସୃଷ୍ଠି ହୋଇ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ କେନ୍ଦ୍ରାପଡ଼ାର ଦକ୍ଷିଣସ୍ଥ ଉପକୂଳ ଜିଲ୍ଲା(ଜଗତସିଂହପୁର, କଟକ, ପୁରୀ, ନୟାଗଡ଼ ଓ ଗଞ୍ଜାମ)ରେ ୮ ଓ ୯ ତାରିଖ ଦୁଇ ଦିନ ମଧ୍ୟମଧରଣର ବର୍ଷା ହୋଇପାରେ। ୭ ତାରିଖରେ ଦକ୍ଷିଣ ଉପକୂଳ (ଗଞ୍ଜମା ଓ ପୁରୀ)ରେ କିଛି ବର୍ଷା ହେବ। ୧୦ ରୁ ୧୨ ରାଜ୍ୟର କିଛି କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ବା ପାଗ ଶୁଖିଲା ରହିବ। ୧୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଏହି ମାସର ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସଂକେତ ମିଳୁଛି ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର