୪ଦିନ କାଳବୈଶାଖୀ ସମ୍ଭାବନା, ପଣା ସଂକ୍ରାନ୍ତିରେ ୪୨ ଡିଗ୍ରି

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ସର୍ବାଧିକ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ସପ୍ତାହକ ଭିତରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁରର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକରେ ଗୁରୁବାର ତାପମାତ୍ରା ୧ରୁ ୧.୫ ଡିଗ୍ରି ବଢ଼ିବାକୁ ଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ପ୍ରୟତଃ ୧ ଡିଗ୍ରି ବୃଦ୍ଧି ପାଇବ। ଖୋର୍ଦ୍ଧା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ଆଂଶିକ ମେଘୁଆ ପାଗ ହେତୁ ତାପମାତ୍ରା ୧ ଡିଗ୍ରି କମି ଶୁକ୍ରବାର ଅପରିବର୍ତ୍ତିତ ରହିବ। ୧୦ ତାରିଖଠାରୁ ରାଜ୍ୟକୁ ଉତ୍ତର-ପଶ୍ଚିମା ଶୁଷ୍କ ଗରମ ପବନ ବହିବା ହେତୁ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢ଼ିବ। ବିଷୁବ ସଂକ୍ରାନ୍ତିରେ ଭୁବନେଶ୍ବର ତାପମାତ୍ରା ୪୨ ଡିଗ୍ରି ପାଖାପାଖି ରହିବାକୁ ଥିବା ବେଳେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ୪୨ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

BQ Prime

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ ଆକଳନ ହେଉଛି ଯେ ଏପ୍ରିଲ ୮ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗିରହିବ। ଗୁରୁବାର ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କନ୍ଧମା‌ଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ। ତେଣୁ ୮ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ‌ହୋଇଛି। ଆସନ୍ତା ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଗତ ୩୬ ଘଣ୍ଟା ମଧ୍ୟରେ ରାୟଗଡ଼ାରେ ସର୍ବାଧିକ ୫୨ ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୨୩, ସୋନପୁରରେ ୨୨.୮, ଭଦ୍ରକରେ ୨୦, ପାରଳାଖେମୁଣ୍ଡିରେ ୧୮.୨, ବାଲେଶ୍ବରରେ ୧୧.୪ ମିମି ବର୍ଷା ରେକର୍ଡ କରାଯାଇଛି। ବୁଧବାର ଦିନରେ ୧୩ଟି ସହରର ତାପମାତ୍ରା ୩୭ ଡିଗ୍ରି ଉପରେ ଥିଲା। ଝାରସୁଗୁଡ଼ାରେ ୩୮.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୩୮.୨, ଅନୁଗୁଳରେ ୩୮.୧, ବାରିପଦା ଓ ମାଲକାନଗିରିରେ ୩୮ ଡିଗ୍ରି ରହିଥିଲା। କିଛି ଦିନ ବ୍ୟବଧାନ ପରେ ଭୁବନେଶ୍ବର ଓ କଟକ ତାପମାତ୍ରା ପୁଣିଥରେ ୩୭ ଡିଗ୍ରି ଉପରକୁ ଯାଇଛି।

ସମ୍ବନ୍ଧିତ ଖବର