୧୪ରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ବର : ୧୪ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଅଂଚଳ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପାଗ କୋହଲା ରହିବ। ୧୬ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ୧୪ ଓ ୧୫ ତାରିଖରେ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହେବ। ୧୬ ତାରିଖରେ ଉକ୍ତ ତିନି ଜିଲ୍ଲା ସମେତ ବାଲେଶ୍ବର ଓ ଦେବଗଡ଼ରେ ବି ବର୍ଷା ହେବାର ସମ୍ଭାବନା ରହିଛି। ୩ରୁ ୪ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବନି। ତେବେ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ତି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗିରହିବ।
ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରହିଥିବା ବେଳେ ଫୁଲବାଣୀ ଓ ଅନୁଗୁଳରେ ୧୧, ଟିଟିଲାଗଡ଼ରେ ୧୧.୬, ସୁନ୍ଦରଗଡ଼ରେ ୧୨.୫ ଡିଗ୍ରି ରହିଥିଲା।