ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ : ୪ ଜିଲ୍ଲାକୁ ରେଡ୍‌, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ

ଭୁବନେଶ୍ବର : ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆହୁରି ୧୨ଘଣ୍ଟା ସକ୍ରିୟ ରହିବ। ପ୍ରଭାବରେ ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲା ଯଥା ସୋନପୁର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ରବିବାର ପୂର୍ବାହ୍ନ ମଧ୍ୟରେ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ କରାଯାଇଛି। ସମ୍ଭାବ୍ୟ ବନ୍ୟା ତଥା ଜଳବନ୍ଦୀ ମୁକାବିଲା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଏହି ୪ଟି ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ମାଟି ଘର ପ୍ରଭାବିତ ହେବା ସହ ଗମନାଗମନ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି। ତେଣୁ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ, ସେମାନଙ୍କୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରିବା ସହ ଖାଦ୍ୟ, ସ୍ବଚ୍ଛ ପାନୀୟ ଜଳ, ବିଜୁଳି, ସ୍ବାସ୍ଥ୍ୟ ଓ ପରିମଳ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ରାସ୍ତା ସଫା ଓ ପାହାଡ଼ ଧସିବା ଭଳି ସମସ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ୪ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏହାବ୍ୟତୀତ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ସମୟ ମଧ୍ୟରେ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କଟକ ଓ ମୟୂରଭଞ୍ଜ‌ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହାର ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ବର୍ଷା କମିବାକୁ ଥିଲେ ମଧ୍ୟ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ବରଗଡ଼ରେ ମଧ୍ୟମଧରଣର ବର୍ଷା ଲାଗି ରହିବ। ଆହୁରି ଆକଳନ କରାଯାଇଛି ଯେ ୯ ଓ ୧୦ ତାରିଖରେ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ତେବେ ୧୧ ତାରିଖଠାରୁ ପୁଣିଥରେ ବର୍ଷା ବଢ଼ିବ। ଉତ୍ତର ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୧୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରେ ବି ଘଡ଼ଘଡ଼ି ସହ ବର୍ଷା ‌ହେବ ବୋଲି ଆକଳନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ବାରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହୋଇଛି। ପାରାଦୀପରେ ସର୍ବାଧିକ ୧୭୦.୭ ମିମି ବର୍ଷା ରେକର୍ଡ଼ ହୋଇଛି। ଏହାବ୍ୟତୀତ ଫୁଲବାଣୀରେ ୧୨୧, ପୁରୀରେ ୧୧୭.୬, ସୋନପୁରରେ ୧୦୪.୧, ସମ୍ବଲପୁରରେ ୧୦୧.୨, ଅନୁଗୁଳରେ ୯୪, ଦାରିଙ୍ଗବାଡ଼ିରେ ୮୮, ହୀରାକୁଦରେ ୭୨, ବଲାଙ୍ଗୀରରେ ୪୮.୪, ତାଳଚେରରେ ୪୭, ମାଲକାନଗିରିରେ ୪୩, କେନ୍ଦୁଝରରେ ୪୬.୩ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର