ସପ୍ତାହେ ଯାଏ ବର୍ଷିବ: ଆଜିଠାରୁ ପଶ୍ଚିମ ଓଡ଼ିଶାରେ ବଢ଼ିବ, ୟେଲୋ ଵାଣ୍ଣି˚ ଜାରି

ଭୁବନେଶ୍ବର : ସପ୍ତାହେ ଯାଏଁ ବର୍ଷାରୁ ନିସ୍ତାର ନାହିଁ। ଉପକୂଳରୁ ଉପାନ୍ତ‌ ହେଉ ଅଥବା ମାଲକାନଗିରିରୁ ମୟୂରଭଞ୍ଜ। ସବୁଠି ବର୍ଷା ଲାଗି ରହିବ। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ବେଳେ ୩୧ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓଡ଼ିଶା ପାଇଁ ଆଜିଠାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ୨୯ତାରିଖ ବ୍ୟତୀତ ଜୁଲାଇ ୩୧ତାରିଖ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ୨୭ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କୋରାପୁଟ, କଳାହାଣ୍ତି, ଢେ଼ଙ୍କାନାଳ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଯାଜପୁର ଓ ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସି˚ହପୁର, ଖୋର୍ଧା, ଗଞ୍ଜାମ, ସୁନ୍ଦରଗଡ଼, ଅନୁଗୁଳ, ମାଲକାନଗିରି, କଟକ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ୨୭ତାରିଖ ପୂର୍ବାହ୍ନରୁ ୨୯ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ୧୫୦ମିମିରୁ ଅଧିକ ପରିମାଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଏହାର ୨୪ଘଣ୍ଟା ପର୍ଯ୍ୟନ୍ତ ପାଗରେ କିଛିଟା ପରିବର୍ତନ ଆସିବ। ବର୍ଷା କମିବା ସହ କାଁଭାଁ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ।

ତେବେ ୩୧ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଆଉ ଏକ ଲଘୁଚାପ ବଳୟର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବ। ଲଘୁଚାପ ସୃଷ୍ଟି ହେବା ପୂର୍ବରୁ ହିଁ ବର୍ଷା ଆରମ୍ଭ ହେବ। ୩୦ ତାରିଖ ଅପରାହ୍‌ଣଠାରୁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ। ପରବର୍ତୀ ସମୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ଯୋଗୁଁ ଆସନ୍ତା ୨୮ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ମୌସୁମୀ ଅଧିକ ସକ୍ରିୟ ରହିଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ପଶ୍ଚିମ ଓ ଏହା ସ˚ଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି।

ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ୪ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ୪୩ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜଗତ୍‌ସି˚ପୁର ଜିଲ୍ଲାର ଏରସମା ବ୍ଲକରେ ସର୍ବାଧିକ ୧୨ସେମି(୧୨୦ ମିମି) ବର୍ଷା ହୋଇଥିବା ବେଳେ ତିର୍ତ୍ତୋଲରେ ୧୧ ସେମି(୧୨୦ ମିମି), ପୁରୀ ଜିଲ୍ଲା କଣାସରେ ୧୧ସେମି(୧୧୨ମିମି) ଓ ଜଗତ୍‌ସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକରେ ୧୧ ସେମି(୧୧୪ ମିମି) ବର୍ଷା ହୋଇଛି। ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦାରେ ୧୦ ସେମି, କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ୯ସେମି, ଜଗତ୍‌ସି˚ହପୁର ଓ ଆଳିପିଙ୍ଗଳରେ ୯ ସେମି ଲେଖାଏଁ, କଟକ ଜିଲ୍ଲା ନିଆଳି ଓ କଣ୍ଟାପଡ଼ାରେ ୯, ପୁରୀ ଜିଲ୍ଲା ବ୍ରହ୍ମଗିରିରେ ୮, ନୂଆପଡ଼ା ଜିଲ୍ଲା କୋମନା, କଟକ ଜିଲ୍ଲାର ମାହଙ୍ଗା, ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼, ମାଲକାନଗିରି, କଟକ ଜିଲ୍ଲା ବାଙ୍କିରେ ୭ ସେମି ଲେଖାଏ ବର୍ଷା ହୋଇଛି। ଗତ ୩୬ ଘଣ୍ଟାରେ ପୁରୀରେ ୧୪୮ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୯୮.୮, ବାରିପଦାରେ ୭୦.୮, ତାଳଚେରରେ ୫୯, ଭୁବନେଶ୍ବରରେ ୫୨.୫, ପାରାଦୀପରେ ୪୭.୪ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର