ଲିଲୁରାମ ରାଇସ୍ ମିଲ ସିଲ୍‌ ଘଟଣା : ପାଞ୍ଚ ଦିନ ହେଲା ଧାନ, ଚାଉଳ ଖାଲି କରୁଛି ପ୍ରଶାସନ

କଂଟାବାଞ୍ଜି : କଂଟାବାଞ୍ଜିରୁ ଗୁଡ଼ିଘାଟ ରାସ୍ତାରେ ଥିବା ଲିଲୁରାମ ରାଇସ୍ ମିଲ ଉପରେ ଚଢ଼ଉ ଓ ତନାଘନା ଜାରି ରଖିଛି ପ୍ରଶାସନ। ଗତ ୫ଦିନ ହେଲା ଟିଟିଲାଗଡ଼ ଉପଜିଲ୍ଲାପାଲ ସୋମେଶ ଉପାଧ୍ୟାୟ, କଂଟାବାଞ୍ଜି ତହସିଲଦାର ଅଶୋକ ମାଝୀ, ବଲାଙ୍ଗୀର ଯୋଗାଣ ବିଭାଗ ସହ ପୁଲିସ କର୍ମଚାରୀ ମିଲରେ ଥିବା ଗୋଦାମ ଗୃହରୁ ଧାନ ଖାଲି କରିବାରେ ଲାଗିଛନ୍ତି। ରବିବାର ଏହି ରାଇସ୍ ମିଲରୁ ପ୍ରାୟ ୨୪ ଟ୍ରିପ ଧାନ ଆଉ ଚାଉଳ ଖାଲି କରିପାରିଛି। ଏହି ମିଲରୁ କଂଟାବାଞ୍ଜି ଏବଂ ଆଖପାଖରେ ଥିବା ଅନ୍ୟ ମିଲଗୁଡ଼ିକୁ ତାହା ପଠାଯାଉଛି। ମିଲରେ ଥିବା ୨ଟି ବଡ଼ ଗୋଦାମ ଖୋଲିବା ସେଠାରୁ ମିଳିଥିବା ଧାନ ଓ ଚାଉଳର ହିସାବ କରି ଅନ୍ୟତ୍ର ପଠାଉଛି। ଏଥିପାଇଁ ଗତ ୨୮ତାରିଖରୁ ମିଲରେ ୧୪୪ ଧାରା ଜାରି କରାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ମିଲ୍‌ ଭିତରକୁ ଯିବା ବାରଣ କରାଯାଇଛି।

ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମିଲ୍‌ରେ ଥିବା ଧାନ ଆଉ ଚାଉଳ ହିସାବ କରି ଅନ୍ୟ ମିଲକୁ ପଠାଇବାରେ ଆହୁରି ଦୁଇରୁ ତିନିଦିନ ସମୟ ଲାଗିପାରେ। ସୋମବାର ସନ୍ଧ୍ୟା ସୁଦ୍ଧା ୧୫ ହଜାର କ୍ୱିଂଟାଲ ଧାନ ଅନ୍ୟତ୍ର ପଠାଯାଇଛି। ସେହିପରି ଚାଉଳ ସରକାରୀ ଗୋଦାମକୁ ପଠାଯାଉଛି। ଏହି ତଦାରଖରେ ଯୋଗାଣ ବିଭାଗର ତୁରେକେଲା ଅଧିକାରୀ ପ୍ରଭାତ ଦାସଙ୍କ ସହ ପାଟଣାଗଡ, ଟିଟିଲାଗଡ଼ ଏବଂ ବଲାଙ୍ଗୀରର ଅଧିକାରୀମାନେ ସାମିଲ ଅଛନ୍ତି।

୩ଦିନ ହେଲା ମିଲ ମାଲିକ ଓ ପୁଅ ଫେରାର୍
ଚଢ଼ଉ ପରେ ମିଲ ମାଲିକ ଶ୍ରୀନିବାସ ଜୈନ ଓ ତାଙ୍କ ପୁଅଙ୍କ ପତ୍ତା ମିଳୁ ନାହିଁ। ଏବେ ସେମାନେ ଫେରାର ଥିବା ସୂଚନା ମିଳିଛି। ମିଲରେ ଦୁଇ ଦିନ ଲଗାତର ତଦନ୍ତ କରିବା ପରେ ଧାନ ଚାଉଳର ହିସାବ କାଗଜରେ ତହସିଲଦାରଙ୍କ ଉପସ୍ଥିତିରେ ବାପ- ପୁଅ ଦସ୍ତଖସ୍ତ କରି ଅନ୍ୟତ୍ର ପଠାଯାଉଥିଲା। ତା ପରେ ଉଭୟେ ମିଲ୍‌କୁ ଆସୁ ନାହାନ୍ତି। ଫଳରେ ପ୍ରଶାସନ ନିଜେ ଦସ୍ତଖସ୍ତ କରି ଚାଉଳ ଧାନ ଅନ୍ୟତ୍ର ପଠାଉଛି।

ସମ୍ବନ୍ଧିତ ଖବର