ଲିଲୁରାମ ରାଇସ୍ ମିଲ ସିଲ ଘଟଣା : ତୃତୀୟ ଦିନରେ ବି ଧାନବସ୍ତା ହିସାବରେ ଅଧିକାରୀ ବ୍ୟସ୍ତ

ମିଲରୁ ଖାଲି ହେଲାଣି ୫ ହଜାର କ୍ବିିଣ୍ଟାଲ ଧାନ

କଂଟାବାଞ୍ଜି : କଂଟାବାଞ୍ଜି ସହରର ଗୁଡ଼ିଘାଟ ରାସ୍ତାରେ ଥିବା ଲିଲୁରାମ ରାଇସ୍ ମିଲରେ ଜିଲ୍ଲା ଯୋଗାଣ ବିଭାଗ ସହ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୁଇଦିନ ଧରି ତଦନ୍ତ କରିଥିଲେ। ଶନିବାର ତୃତୀୟ ଦିନରେ ବିଭାଗୀୟ ଅଧିକାରୀମାନେ ମିଲରେ ଥିବା ଷ୍ଟକ ରେକର୍ଡର ସବୁ ତଥ୍ୟ ବାହାର କରି ମିଲକୁ ସିଲ୍‌ କରିଛନ୍ତି। ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, କଂଟାବାଞ୍ଜି ତହସିଲଦାର ଅଶୋକ ମାଝୀ, ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ, ତୁରେକେଲା ବ୍ଲକ ଯୋଗାଣ ଅଧିକାରୀ ପ୍ରଭାତ ଦାସଙ୍କ ସହ କଂଟାବାଞ୍ଜି ପୁଲିସ କର୍ମଚାରୀ ତିନିଦିନ ହେଲା ଏହି ରାଇସ୍ ମିଲରେ ଥିବା ଧାନ ଗୋଦାମରେ କେତେ ଧାନ ଅଛି ତାର ଆକଳନ କରୁଛନ୍ତି। ଶୁ୍

‌କ୍ରବାର ପ୍ରଶାସନ ଗୋଦାମରେ ଥିବା ୪ଟି ଛୋଟ ଗୋଦାମରୁ ପ୍ରାୟ ୧୫ ଟ୍ରକ୍‌ରେ ଧାନକୁ ଅନ୍ୟତ୍ର ନେଇଥିବା ସୂଚନା ମିଳିଥିଲା। ଲିଲୁରାମ ରାଇସ୍ ମିଲରୁ ଏହି ଧାନ କଂଟାବାଞ୍ଜିର ପାହାଡ଼ିମାତା ରାଇସ୍ ମିଲ୍, ବେଲପଡ଼ାସ୍ଥିତ ଶଙ୍କର ରାଇସ୍ ମିଲ୍ ଏବଂ ରାଜା ରାଇସ୍ ମିଲ୍‌କୁ ସ୍ଥାନାନ୍ତର କରାଯାଇଛି। ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ୩୬ଟି ଟ୍ରକରେ ୧୧ ହଜାର ବସ୍ତା ଅର୍ଥାତ ୫ ହଜାର କ୍ୱିଂଟାଲ ଧାନ ଅନ୍ୟତ୍ର ସ୍ଥାନନ୍ତର କରାଯାଇଥିବା ଜଣାପଡ଼ିଛି। ରାଇସ୍ ମିଲରେ ଧାରା ୧୪୪ ଜାରି କରି ପ୍ରଶାସନ କରୁଥିବା ନିଜର ତଦନ୍ତରେ ଏବେ ମଧ୍ୟ ହିସାବ ପାଉନଥିବା ଚର୍ଚ୍ଚାର ବିଷୟ ହୋଇଛି। ଲିଲୁରାମ ରାଇସ୍ ମିଲ ମାଲିକ ଶ୍ରୀନିବାସ ଜୈନଙ୍କ ସହ‌ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ମିଲ୍‌ରେ ଥିବା ବଡ଼ ଦୁଇ ଗୋଦାମର ଧାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନକୁ ଆହୁରି ୫ ଦିନ ଲାଗିପାରେ ବୋଲି ଅନୁମାନ କରାଯାଉଛି। ଆଜିର ତଦନ୍ତରେ ବଲାଙ୍ଗୀର ସଦର, ଟିଟିଲାଗଡ଼ ଓ ପାଟଣାଗଡ଼ର ଯୋଗାଣ ଅଧିକାରୀମାନେ ମଧ୍ୟ ସାମିଲଥିଲେ।

ଲିଲୁରାମ ରାଇସ୍ ମିଲର ଛତିଶଗଡ଼ ଲିଙ୍କ୍
କଂଟାବାଞ୍ଜିରେ ଥିବା ଲିଲୁରାମ ରାଇସ୍ ମିଲରେ ସରକାରୀ ଭାବେ ୮୧ ହଜାର କ୍ୱିଂଟାଲ ଧାନର ଟାର୍ଗେଟ ଥିଲା। ପ୍ରାୟ ୩୦ ପ୍ରତିଶତ ଧାନର ଏଫସିଆଇ ଏବଂ ସିଏମଆରକୁ ଚାଉଳ ଦେଇଥିବା ଜଣାପଡ଼ିଛି। ଏଭିତରେ ଛତିଶଗଡ଼ର ରାୟପୁର ଏବଂ ଖରିଆର ରୋଡରୁ ମଧ୍ୟ ଚାଉଳ ଆଣି ଏଫସିଆଇରେ ଦେଇଥିବା ସୂଚନା ମିଳିଛି। ପ୍ରଶାସନ ଲିଲୁରାମ ରାଇସ ମିଲ ସହ କଂଟାବାଞ୍ଜି ସହରରେ ଥିବା ଅନ୍ୟ ରାଇସ୍ ମିଲଗୁଡ଼ିକ ମଧ୍ୟ ତଦନ୍ତ କଲେ ଅନେକ ତଥ୍ୟ ସାମନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର