ଖାଲୁଆ ଜମିରୁ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ଆଗଉନି ଚାଷ କାମ, ଚିନ୍ତାରେ ଚାଷୀ

ବ୍ରହ୍ମଗିରି : ଚାଷ କାମ ଆଗକୁ ବଢୁନି। କେଉଁଠି ଜମିରେ ବେକେ ପାଣି ଜମି ରହିଛି ତ ଆଉ କେଉଁଠି ଜମି ଫାଟି ଆଁ କଲାଣି। ଚାଷ କାମ ଆଗକୁ ବଢୁନଥିବାରୁ ଚାଷୀକୁଳଙ୍କୁ ଚିନ୍ତା ଘାରିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅଞ୍ଚଳରେ ଜଳସେଚନର କୌଣସି ସୁବିଧା ନ ଥିବା ବେଳେ ଉଦ୍‌ବୃତ ବନ୍ୟାଜଳ ଚାଷଜମିରୁ ନିଷ୍କାସିତ ହୋଇ ପାରେ ନାହିଁ। ଏହି ଅସୁବିଧା କାରଣରୁ ଏ ଅଞ୍ଚଳର ଚାଷୀ ରବି ଋତୁରେ ହିଁ ଧାନ ଚାଷ କରିଥାନ୍ତି। ଏହା ସେମାନଙ୍କ ପରିବାର ପ୍ରତିପୋଷଣର ମୁଖ୍ୟ ପନ୍ଥା ପାଲଟିଥାଏ। ‌ତେବେ ଅକ୍ଟୋବର ମାସରୁ ଚାଷକାମ ଆରମ୍ଭ ହୋଇଯିବା କଥା। କିନ୍ତୁ ଅକ୍ଟୋବର ଯାଇ ନଭେମ୍ବର ମାସ ହେଲାଣି ପଛେ ଚାଷକାମ ଆରମ୍ଭ ହୋଇ ପାରିନାହିଁ। ଖାଲୁଆ ଅଞ୍ଚଳରେ ଥିବା ଧାନ କ୍ଷେତରେ ବେକେ ଲେଖାଏ ପାଣି ଜମି ରହିଛି। କ୍ଷେତରେ ପାଣି ରହି କଇଁ ଫୁଲ ଫୁଟିଲାଣି। ବର୍ଷା ପାଣି ନିଷ୍କାସନର ବାଟ ବନ୍ଦ ହୋଇ ଯାଇଥିବା ବେଳେ ନଦୀ ଓ କେନାଲରେ ଦଳ ଭର୍ତ୍ତି ହୋଇ ରହିଥିବାରୁ ଖାଲୁଆ ଜମିରୁ ପାଣି ନିଷ୍କାସନ ହୋଇ ପାରୁନାହିଁ। ଯାହା ଫଳରେ ଚାଷକାମ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଢିପ ଜମିରେ ପାଣି ଅଭାବରୁ ଚାଷକାମ ଆଗେଇ ପାରୁନାହିଁ। ଏଭଳି ପରିସ୍ଥିତିରେ ନା କ୍ଷେତ ବେଉଷଣ ହୋଇପାରୁଛି ନା ତଳି ପଡି ପାରୁଛି। ପ୍ରତ୍ୟେକ ବର୍ଷ ରବି ଋତୁରେ ବ୍ରହ୍ମଗିରି ଅଞ୍ଚଳରେ ୨୫ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥାଏ। କିନ୍ତୁ ଚାଷକାମ ଏଯାବତ୍‌ ଆରମ୍ଭ ହୋଇ ନଥିବାରୁ ୨୫ଟି ପଞ୍ଚାୟତରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର