ରାଉରକେଲା : ଆଉ ଶୁଭୁନି ଗାଡିମୋଟରର କି ମେସିନ୍ର ଘୁଁ ଘାଁ ଶବ୍ଦ ଅବା କର୍ମଚାରୀ ଓ ଶ୍ରମିକଙ୍କ କୋଳାହଳ। କାରଣ ବନ୍ଦ ହୋଇଯାଇଛି ସୁନ୍ଦରଗଡ଼ ସୀମାନ୍ତ ନୂଆଗାଁ ଅଞ୍ଚଳବାସୀଙ୍କ ଭାତହାଣ୍ଡି ପୁରୁଣାପାଣିର ଚୂନପଥର ଖଣି। ଖଣି କାରଣରୁ ମିନି ସହରର ମାନ୍ୟତା ପାଇଥିବା ନୂଆଗାଁର ପୁରୁଣାପାଣି ଏବେ ପାଲଟିଯାଇଛି ଏକ ମୃତ ସହର। ଯେଉଁ ସହର ଦିନେ ବେଶ୍ ଚଳଚଞ୍ଚଳ ଥିଲା, ସେଠି ଏବେ ରାଜୁତି କରୁଛି ଶ୍ମଶାନର ଶୂନ୍ୟତା।
Sambad is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ୧୭ ବର୍ଷ ଧରି ବନ୍ଦ ପଡିଥିବା ଚୂନପଥର ଖଣି ଖୋଲିବ ଖୋଲିବ ବୋଲି ସଭିଁଙ୍କ ମୁହଁରୁ ଶୁଣାଯାଉଛି, କିନ୍ତୁ ଏ ଯାଏଁ ଖୋଲିନି। କେବେ ଖୋଲିବ କାହା ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ଖଣି ଖୋଲିବାର ଦାବି ନେଇ ବିର୍ସା ସଂଗ୍ରାମ ସମିତିର ଆନ୍ଦୋଳନ ଅବଶ୍ୟ ଜାରି ରହିଛି। ସାଂସଦ, ସ୍ଥାନୀୟ ବିଧାୟକ ପ୍ରମୁଖ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଓ ସେଲ୍ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଏ ପ୍ରସଙ୍ଗରେ ଅନେକବାର ଦାବି କରିଛନ୍ତି। କିନ୍ତୁ କିଛି ଫଳ ମିଳିନାହିଁ। ଫଳରେ ଖଣି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଶହ ଶହ କର୍ମଚାରୀ, ଶ୍ରମିକ, ଠିକାଦାର, ସ୍ଥାନୀୟ ବ୍ୟବସାୟୀ ଓ ଗାଡି ମାଲିକମାନଙ୍କର ମୁହଁରୁ ହସ ଲିଭି ଯାଇଛି। ଖଣି ପାଇଁ ଜମି ହରାଇଥିବା ଶହ ଶହ ଲୋକ ପରିବାର ପ୍ରତିପୋଷଣ ପାଇଁ ଘାଣ୍ଟି ହେଉଛନ୍ତି, ଅନେକ ତ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ସେପଟେ ଚୂନ ପଥର ଉତ୍ତୋଳନ ଓ ପରିବହନରେ ବ୍ୟବହୃତ କୋଟି କୋଟି ଟଙ୍କାର ମେସିନ୍ ଓ ଗାଡି ମୋଟର ଖତ ଖାଉଛି। କର୍ମଚାରୀମାନେ ରହୁଥିବା ଶହ ଶହ କ୍ବାର୍ଟର୍ସ ଏବେ ଆନ୍ତଃରାଜ୍ୟ ଜୁଆଡି ଓ ଅନ୍ୟ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ଏକଦା ଚାଲୁ ରହିଥିବା ଖଣିର ନିଜସ୍ବ ସ୍ବାସ୍ଥ୍ୟକେନ୍ଦ୍ର ଓ ସ୍କୁଲରେ ତାଲା ଝୁଲୁଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏକଦା ନିର୍ଭର କରୁଥିବା ନୂଆଗାଁ ସମେତ ପଡୋଶୀ ଝାଡ଼ଖଣ୍ଡ ଓ ବିହାରର ଲୋକେ ନାନା ସମସ୍ୟାରେ ପଡୁଛନ୍ତି।
କୋଟି କୋଟି ଟଙ୍କାର ପୁରୁଣା ମେସିନସବୁ ଖତ ଖାଉଛି। ତା’କୁ ଜଗିବାଲାଗି ସେଲ୍ ଅଳ୍ପ କେତେଜଣ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କକିଛି। କିନ୍ତୁ ସୀମା ସେ ପଟରୁ ରାତିରେ ଆସୁଥିବା ଚୋରଦଳଙ୍କର ମୁକାବିଲା ସେମାନେ କରି ପାରୁ ନାହାନ୍ତି। ଫଳରେ ଦିନକୁ ଦିନ ସେଠାରୁ ବହୁମୂଲ୍ୟର ଯନ୍ତ୍ରାଂଶ ଉଭାନ ହେବାରେ ଲାଗିଛି। ଗୋଟିଏ ଯୁକ୍ତି କରା ଯାଇପାରେ ଯେ ଲାଭ ହେଉନଥିବା କାରଣରୁ ଏ ଖଣିକୁ ବନ୍ଦ କରିବାର ଅଧିକାର ସେଲ୍ର ଅଛି। କିନ୍ତୁ ଖଣି ପାଇଁ ଯେଉଁମାନେ ନିଜ ଜମି ହରାଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦେବ କିଏ? ଚାକିରି ହରାଇଥିବା ସେହି ଶହ ଶହ ଲୋକଙ୍କୁ ରୋଜଗାରର ପନ୍ଥା ଏବେ ଦେବ କିଏ?
ଏ ପ୍ରସଙ୍ଗରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ କହିଛନ୍ତି, ‘‘ଖଣିକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ ଜାରି ରହିଛି। ସେଲ୍ ବୋର୍ଡର କିଛି ଅଧିକାରୀ ନିମ୍ନମାନର ଚୁପ୍ପଥର ବାହାରୁଥିବା ଦର୍ଶାଇ ବନ୍ଦ କରିଦେଇଥିବାରୁ ଏଭଳି ସମସ୍ୟା ଉପୁଜିଛି। ବୋର୍ଡର ଅଧିକାରୀ ଦେଇଥିବା ଅନୁସନ୍ଧାନ ରିପୋର୍ଟରେ ଆମେ ଆଦୌ ସନ୍ତୁଷ୍ଟ ନୁହେଁ। ଲକ୍ଡାଉନ୍ କଟକଣା ହଟିବା ପରେ ସ୍ଥାନୀୟ ସାଂସଦଙ୍କ ନେତୃତ୍ବରେ ଆମେ ବିଭାଗୀୟ ମନ୍ତ୍ରୀ ଓ ସେଲ୍ ଅଧ୍ୟକ୍ଷାଙ୍କୁ ସାକ୍ଷାତ କରି ପୁନଃ ସର୍ଭେ ପାଇଁ ଟିମ୍ ପଠାଇବାକୁ ଦାବି କରିବୁ।’’ ସେହିପରି ବିର୍ସା ସଂଗ୍ରାମ ସମିତିର ବିଦ୍ୟାଧର ଦେ’ କହିଛନ୍ତି, ‘‘ଆମର ଲଢ଼େଇ ଜାରି ରହିଛି। ଆମେ ତତ୍କାଳୀନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜିଙ୍କ ହସ୍ତକ୍ଷେପ ଲୋଡିଥିଲୁ। ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ସେଲ୍ ବୋର୍ଡର ଟିମ୍ ଖଣି ଅଞ୍ଚଳ ପରିଦର୍ଶନ କରି ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ। ହେଲେ ଆଜି ଯାଏଁ ଏ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ।’’
ମୋଟ୍ ଉପରେ ଦେଖିଲେ, ରାଜନୈତିକ ଦଳର ନେତା ଓ ସେଲ୍ ପ୍ରଶାସନିକ ଅଧିକାରୀଙ୍କ ପଶାପାଲିରେ ଝୁଲୁଛି ଏହି ଚୂନପଥର ଖଣିର ଭାଗ୍ୟ। ଗତ ୧୯୫୯ରେ ନୂଆଗାଁ ବ୍ଲକ ପୁରୁଣାପାଣିରେ ଚୂନପଥର ଖଣିରୁ ଚୂନ ପଥର ଓ ଡୋଲାମାଇଟ୍ ଉତ୍ତୋଳନ ଆରମ୍ଭ ହୋଇଥିଲା। ଏଥି ପାଇଁ ରାଜ୍ୟ ସରକାର ସେଲ୍ କଞ୍ଚାମାଲ ଡିଭିଜନକୁ ପ୍ରାୟ ୨୩୧ ହେକ୍ଟର ଜମି ଲିଜ୍ ଆକାରରେ ଦେଇଥିଲେ। ଏଠାରୁ ଉତ୍ତୋଳନ ହେଉଥିବା ଉତ୍ତମ ମାନର ଚୂନପଥର ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ସହ ରାଜ୍ୟ ବାହାର ଅନ୍ୟ କାରଖାନାରେ ବ୍ୟବହାର ହେଉଥିଲା। ତେବେ ୨୦୦୧ରେ ନିମ୍ନମାନର ଚୂନପଥର ବାହାରୁଥିବା ଦର୍ଶାଇ ସେଲ୍ ପକ୍ଷରୁ ଏହାକୁ ଆଂଶିକ ବନ୍ଦ କରି ଦିଆଯାଇଥିଲା। ପୁଣି ୨୦୦୩ରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ପରବର୍ତ୍ତୀ ସମୟରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାଲାଗି ସ୍ଥାନୀୟ ଲୋକେ ଲଢ଼େଇ ଜାରି ରଖିଥିଲେ ହେଁ ସେଲ୍ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ।