କାୟା ମେଲାଉଛି ଲିମ୍ପିଂ ଭାଇରସ୍

୧୪୮ ଗାଈଗୋରୁ ସଂକ୍ରମିତ, ପୁଣି ଏକ ମୃତ, ଚିକିତ୍ସା ପାଇଁ ସ୍ଥିତି ଅନୁଧ୍ୟାନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ପାଟପୁର : ଗଞ୍ଜାମ ଜିଲ୍ଲାରେ ଲିମ୍ପିଂ (ଚର୍ମବିଣ୍ଡି) ଭା‌ଇରସ୍ ଧୀରେଧୀରେ କାୟା ମେଲାଇବାରେ ଲାଗିଛି। ଅର୍ଦ୍ଧାଧିକ ବ୍ଲକ୍‌ରୁ ସଂକ୍ରମିତ ଗାଈଗୋରୁଙ୍କ ବିଷୟରେ ତଥ୍ୟ ହାସଲ ହେଉଥିବା ବେଳେ ସାନଖେମୁଣ୍ଡିରେ ସ୍ଥିତି ଚିନ୍ତାଜନକ ରହିଛନ୍ତି। ଏଯାବତ୍ ଏହି ବ୍ଲକ୍‌ର ବିଭିନ୍ନ ଗ୍ରାମରୁ ୧୪୮ ଗାଈଗୋରୁ ଏହି ଭାଇରସ୍‌‌ରେ ସଂକ୍ରମିତ ହୋଇଥିବା ପାଟପୁର ପଶୁସମ୍ପଦ ଚିକିତ୍ସାଧିକାରୀ ଡା.ପ୍ରବୀଣ କୁମାର ସାହୁ ସୂଚନା ଦେଇଛନ୍ତି। ଏହାସହ ପୁଣି ଖଲିଙ୍ଗି ଗ୍ରାମରେ ରୋହିତ ନାହାକଙ୍କ ଏକ ଗାଈର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ତେବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଗୋପାଳକ ଓ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ସକା‌ଳେ ଟୁଇଟ୍ କରି କହିଛନ୍ତି, ସାନଖେମୁଣ୍ଡି ବ୍ଲକ୍‌ରୁ ବର୍ତ୍ତମାନ ସୁଦ୍ଧା ୪୬ ପଶୁ ସୁସ୍ଥ ହୋଇସାରିଛନ୍ତି। ସିଆଇଏଲ୍ ଟିମ୍ ପକ୍ଷରୁ ୨୨ଟି ନମୁନା ସଂଗ୍ରହ କରି କଟକ ଜିଲ୍ଲା ଫୁଲନଖରାସ୍ଥିତ ପଶୁରୋଗ ଗବେଷଣା ଅନୁଷ୍ଠାନ ଓ ତାଲିମ କେନ୍ଦ୍ରକୁ ପଠାଯାଇଛି। ସଂକ୍ରମିତ ଗାଈଗୋରୁଙ୍କ ନିୟମିତଧାରାରେ ଚିକିତ୍ସା ଜାରି ରହିଥିବା ବେଳେ ସ୍ଥିତି ଉପରେ ନଜର ରଖିବା ଏବଂ ଟିକାକରଣକୁ ବ୍ୟବସ୍ଥିତ କରିବାକୁ ବ୍ରହ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲା ପାଇଁ ୫୦ହଜାର ଡୋଜ୍ ଟିକା ମହଜୁଦ୍ ରହିଛି। ସାନଖେମୁଣ୍ଡି ବ୍ଲକ୍‌ର ପ୍ରତି ଗାଁରେ ମୋବାଇଲ୍ ୟୁନିଟ୍ ନିୟୋଜିତ କରିବାକୁ ପଶୁସମ୍ପଦ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଛି। ସେହିପରି ଆଜି ମୋବାଇଲ୍ ୟୁନିଟ୍ କର୍ମଚାରୀ ଜଲମରା ଓ ଜୟନଗର ଗ୍ରାମକୁ ଯାଇ ସଂକ୍ରମିତ ଗାଈଗୋରୁଙ୍କୁ ଟିକା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର