କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ତିଆରି ହେବ ୬କୋଟିର ଲିନାକ୍‌ ବଙ୍କର

କଟକ : ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ (କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍‌)ରେ କର୍କଟ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି ତଥା ସେମାନଙ୍କ ଭିତରେ ରେଡିଏସନ୍‌ ନେବାକୁ ଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହି କାରଣରୁ ଅନେକ ସମୟରେ ରୋଗୀଙ୍କୁ ଚିକିତ୍ସା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏହାର ସମାଧାନ ପାଇଁ କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏକ ଲିନାକ୍‌ ବଙ୍କର ନିର୍ମାଣ ହେବାକୁ ଯାଉଛି। ୬କୋଟି ୨୭ଲକ୍ଷ ଟଙ୍କା ବ୍ୟୟରେ ତିଆରି ହେବାକୁ ଥିବା ଏହି ବଙ୍କର ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର ଅନୁମୋଦନରେ ତିଆରି କରାଯିବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଆଚାର୍ଯ୍ୟ ହରିହର କେନ୍ଦ୍ରରେ ଏହି ମେସିନ୍‌ ଲିନାକ୍‌ ବିଡିଂ ପାର୍ଶ୍ବରେ ବସାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ଲିନାକ୍‌ ବଙ୍କର ତିଆରି କରାଯିବ ଓ ତାରି ପାଖରେ ସିମୁଲେଟର(ଡମି ଟ୍ରିଟ୍‌ମେଣ୍ଟ ପ୍ଲାନିଂ ସିଷ୍ଟମ୍‌) ବସାଯିବ। ଏଥି ସହିତ ବ୍ରାକିଥେରାପି, ଡୋସିମିଟର(ରେଡିଏସ୍‌ନ୍‌ ମାପକ ଯନ୍ତ୍ର) ମଧ୍ୟ ଲଗାଯିବ। ରାଜ୍ୟ ଔଷଧ ନିଗମ ପକ୍ଷରୁ ଏ ସବୁ ଯନ୍ତ୍ରାଂଶ କିଣାଯିବ। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ମାସରୁ ଗୃହ ନିର୍ମାଣ ଆରମ୍ଭ କରାଯିବ। ଏ ନେଇ ଆର ଏଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ନିଜ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର