କଟକ: ମାସେ ହେଲାଣି ଅନୁମତି ଦେଇ ସାରିଲାଣି ଆଟମିକ୍‌ ଏନର୍ଜି ରେଗୁଲେଟୋରି ବୋର୍ଡ (ଏଇଆର୍‌ବି)। କିନ୍ତୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ (ଏଏଚ୍‌ଆରସିସି)ରେ କାର୍ଯ୍ୟକ୍ଷମ ହୋଇପାରୁନି ଲିନାକ୍ ମେସିନ୍‌। ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅନୁମତି ଆସିବାର ମାସକ ପରେ ବି ଦୁଇଟିଯାକ ଲିନାକ୍‌ କାର୍ଯ୍ୟକ୍ଷମ ହୋଇ ପାରିନଥିବାରୁ ପ୍ରତିଦିନ କର୍କଟ ରୋଗୀ ଚିକିତ୍ସା ନପାଇ ଫେରୁଛନ୍ତି। ଫଳରେ ପ୍ରତିଦିନ ପାଖାପାଖି ୭୦ ଜଣ ରୋଗୀ ଅପେକ୍ଷାରେ ରହୁଛନ୍ତି। ଲିନାକ୍‌ରେ ରୋଗୀ ଚିକିତ୍ସା ପାଇଁ କୋଟିଏରୁ ଅଧିକ ଟଙ୍କାର ଉପକରଣ କିଣାଯାଇଥିଲେ ବି ଆଉ କିଛି ଉପକରଣ କିଣାଯିବା ବାକି ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବା କୁହାଯାଉଛି। ଅନ୍ୟପଟେ କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀଙ୍କ କହିବା ଅନୁଯାୟୀ ମେସିନ୍‌ ଖଞ୍ଜା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିନାହିଁ। ତେଣୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏହି ଦୁଇଟି ଲିନାକ୍‌ କାର୍ଯ୍ୟକ୍ଷମ ‌ହେବ।

Advertisment

ସୂଚନାଯୋଗ୍ୟ ଯେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୨ଟି ଲିନାକ୍‌ ମେସିନ୍‌ ବସାଯାଇଥିଲା। ସେଥିରୁ ଗତମାସ ୧୧ ତାରିଖ ଦିନ ଲୋ ଏନର୍ଜି ମେସିନ୍‌କୁ ଏଇଆର୍‌ବି ପକ୍ଷରୁ ଅନୁମତି ମିଳିଥିଲା। ତେବେ ଏହାର ଠିକ୍‌ ୯ଦିନ ପରେ ସେହି ମାସ ୨୦ ତାରିଖ ଦିନ ହାଇ ଏନର୍ଜି ମେସିନ୍‌କୁ କାର୍ଯ୍ୟକ୍ଷମ ପାଇଁ ଏଇଆର୍‌ବି ଅନୁମତି ମିଳିଛି। ଏହି ଦୁଇଟି ମେସିନ୍‌ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଆଶା କରାଯାଉଥିଲା ଅନୁମତି ମିଳିବା ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। କିନ୍ତୁ ମାସକ ପରେ ବି ଏହା କାର୍ଯ୍ୟକ୍ଷମ ହୋଇ ନପାରିବାରୁ‌ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପୂର୍ବରୁ ୨ଟି କୋବାଲ୍ଟ ମେସିନ୍‌ ରହିଥିଲା ଓ ୨ଟି ଲିନାକ୍‌ ବଙ୍କର୍‌ ରହିଥିଲା। ଉକ୍ତ ୪ଟି ମେସିନ୍‌ରେ ୩୫୦ ରୋଗୀଙ୍କୁ ରେଡିଏସନ୍‌ ଚିକିତ୍ସା ଦିଆଯାଇ ପାରୁଥିଲା। ତେବେ ଗୋଟିଏ କୋବାଲ୍ଟ ମେସିନ୍‌ ୨୬ବର୍ଷ ଅତିକ୍ରମ କରିବା ପରେ ତାକୁ ସେବାରୁ ବିରାମ ଦିଆଯାଇଥିଲା। ଯାହାଫଳରେ ଏବେ କର୍କଟ ‌କେନ୍ଦ୍ରରେ ରହିଛି ୨ଟି ମେସିନ୍‌। ସେଥିରେ ପ୍ରତିଦିନ ୧୫୦ଜଣ ରୋଗୀଙ୍କର ଚିକିତ୍ସା ହୋଇପାରୁଛି। ଏହି ଦୁଇଟି ମେସିନ୍‌ କାର୍ଯ୍ୟକ୍ଷମ ହେଲେ ମୋଟ ତିନିଶହ ରୋଗୀ ଉପକୃତ ହୋଇପାରିବେ।