ବିଦ୍ୟୁତ୍‌ ସଂଯୋଗ ପାଇଁ ୫ହଜାର ଲାଞ୍ଚ, ଲାଇନ୍‌ମ୍ୟାନ୍‌ ଗିରଫ

ବ୍ରହ୍ମପୁର : ବିଦ୍ୟୁତ୍‌ ସଂଯୋଗ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଟିପିଏସ୍‌ଓଡିଏଲ୍‌ ଲାଇନ୍‌ମ୍ୟାନ୍‌ କାଳୁ ଚରଣ ପଲାଇ। ଟିକାବାଲି ବ୍ଲକ୍‌ ଛତିଝର ଗ୍ରାମର ରିଙ୍କୁ ଭୁକ୍ତାଙ୍କଠାରୁ ସେ ଲାଞ୍ଚ ଗ୍ରହଣ କରୁଥିଲେ। ଏହିସମୟରେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ କାବୁ କରିଥିଲେ। ବ୍ରହ୍ମପୁର ଭିଜିଲାନ୍ସ କେସ୍ ନମ୍ବର ୨୫/୨୦୨୨ରେ ମାମଲା ରୁଜୁ କରି ଲାଇନ୍‌ମ୍ୟାନ୍‌ କାଳୁଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ରିଙ୍କୁ ତାଙ୍କର ତେଜରାତି ଦୋକାନ ପାଇଁ ନୂତନ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଆବେଦନ କରିଥି‌ଲେ। ଏଥିପାଇଁ ଆବଶ୍ୟକ ଅର୍ଥ ବିଦ୍ୟୁତ୍‌ ବିଭାଗ ନିକଟରେ ଜମା ମଧ୍ୟ କରିଥିଲେ। ହେଲେ, ବିଦ୍ୟୁତ୍‌ ସଂଯୋଗରେ ବିଳମ୍ବ ହେବାପରେ ସେ ଲାଇନ୍‌ମ୍ୟାନ୍‌ କାଳୁଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ କାଳୁ ଏଥିପାଇଁ ୫ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ରିଙ୍କୁ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହେବାପରେ ଏହି ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ଟିକାବାଲି ରାଜୀବନଗରରେ ଥିବା ଘରେ ମଧ୍ୟ ଚଢ଼ଉ ଚାଲିଥିବା ଫୁଲବାଣୀ ଡିଏସ୍‌ପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର