ଇବ୍ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ଲାଇନ୍ମ୍ୟାନ ଜଗଦୀଶ ଅଭିଳାଷ ପଧାନ(୩୫)ଙ୍କ ରବିବାର ଡ୍ୟୁଟି ସମୟରେ ବିଦ୍ୟୁତ ଆଘାତ ଲାଗିବାରୁ ମୃତ୍ୟୁ ହୋଇଯାଇଛି। ଘଟଣାଟି ବନ୍ଧବାହାଲ ପୋଖରୀ ପାଖରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କିରାରମା ଟ୍ରାନ୍ସଫର୍ମର ଲିକ୍ ଥିଲା। ଏଥିରେ ତେଲ ଭରିବାକୁ କର୍ମଚାରୀ ଯାଇଥିଲେ। ଜଗଦୀଶଙ୍କୁ ଏକୁଟିଆ ଏବି ସୁଇଚ୍ କାଟିବାକୁ ପଠା ଯାଇଥିଲା। ସେ ଖମ୍ବରେ ଚଢ଼ି କାମ କଲା ବେଳକୁ ଲାଇନ୍ କଟା ଯାଇ ନଥିଲା। ଏହା ୧୧ କେଭି ହୋଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡ଼ି ଯାଇଥିଲେ।
ବିଭାଗୀୟ କର୍ମଚାରୀ ତାଙ୍କୁ ଟିଆରଏଲ୍ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ଜଗଦୀଶଙ୍କ ନିଜ ଗ୍ରାମ ଅଢାପଡାର ଲୋକମାନେ ଡାକ୍ତରଖାନା ଆସି ମୃତଦେହ ରଖି କ୍ଷତିପୂରଣ ଓ ପତ୍ନୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରିଥିଲେ। ଖବରପାଇ ଘଟଣାସ୍ଥଳରେ ଏକଜିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ ବିକାଶ ଭୋଇ, ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ, ବନହରପାଲି ଆଇଆଇସି ରଶ୍ମିତା ବେହେରା, ବେଲପାହାଡ ଆଇଆଇସି ଅଞ୍ଜନ ଭୋଇ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବିଦ୍ୟୁତ୍ ବିଭାଗ ଏସ୍ଡିଓ ଜତିକାନ୍ତ ପାତ୍ର, ଜେଇ ବିରାଜ ପଟେଲ, ମୀନକେତନ ପ୍ରଧାନ ପହଞ୍ଚିଥିଲେ। କୁଶ୍ରାଲୋଇ ସରପଞ୍ଚ ରଘୁମଣି ପ୍ରଧାନ, ତେଲେନପାଲି ସରପଞ୍ଚ ଆକାଶ ସାହୁ ଓ ଅଢାପଡା ଗ୍ରାମର ବୁଦ୍ଧିଜୀବୀ ତଥା ପରିବାର ଲୋକଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା।
ମାତ୍ର ଦାବି ପୂରଣ ନେଇ ଗ୍ରାମବାସୀ ଓ ପରିବାର ଲୋକ ସେମାନଙ୍କ ଜିଦ୍ରେ ଅଟଳ ରହିବାରୁ ଆଲୋଚନା ବିଫଳ ହୋଇଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଡାକ୍ତଖାନା ସମ୍ମୁଖ ରାସ୍ତା ଅବରରୋଧ କରି ରଖିଥିଲେ। ଫଳରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ୍ ଶ୍ରୀ ଭୋଇ ୩୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ସହ ବନ୍ଧବାହାଲ ସବ୍ଷ୍ଟେସନରେ ପତ୍ନୀଙ୍କୁ ମାସିକ ୭ ହଜାର ଟଙ୍କା ଦରମାରେ ଅସ୍ଥାୟୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ରାସ୍ତାରୋକରୁ ଉଠି ଯିବାକୁ କହିଥିଲେ। ହେଲେ ଏଥିରେ ଲୋକେ ଅସନ୍ତୋଷ ପ୍ରକାଶ କରି ବିଭାଗରେ ସ୍ଥାୟୀ ଚାକିରି ଦାବି କରିଥିଲେ। ରାସ୍ତା ରୋକରୁ ନ ଉଠିବାରୁ ପୁଲିସ ୨୨ ଜଣଙ୍କୁ ଉଠାଇ ନେଇଥିଲା। ନିର୍ବାଚନ ଥିବାରୁ କୋଡଅଫ୍ କଣ୍ଡକ୍ଟ ଆଳ ଦେଖାଇ ଆମ ପ୍ରତି ଅନ୍ୟାୟ କରାଯାଉଛି ବୋଲି କହି କୁଶ୍ରାଲୋଇ, ତେଲେନପାଲି ଓ ରେମେଣ୍ଡା ପଞ୍ଚାୟତର ଲୋକେ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମୃତ ଜଗଦୀଶଙ୍କ ସ୍ତ୍ରୀ ସହ ଛୋଟ ପିଲା ଅଛନ୍ତି। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
Follow Us