ବିଦ୍ୟୁତ୍ ସଂଯୋଗ ଦେବାବେଳେ ଲାଇନ୍‌ମ୍ୟାନଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ବିଦ୍ୟୁତ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ, ବିଦ୍ୟୁତ୍‌ ସେବା ୨୦ ଘଣ୍ଟା ବ୍ୟାହତ

ପୁରୀ : ଖୁଣ୍ଟିରେ ଚଢ଼ି ବିଦ୍ୟୁତ୍‌ ସଂଯୋଗ ଦେବାବେଳେ ଗତକାଲି ଜଣେ ବିଦ୍ୟୁତ୍ ଆଘାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁରର ପବିତ୍ର ଜେନା(୩୦)। ତେବେ ଏହି ଘଟଣାକୁ କେନ୍ଦ୍ର କରି ଆଜି ପୁରୀରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ବିଦ୍ୟୁତ୍ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ଯୋଗୁ ୨୦ ଘଣ୍ଟାରୁ ଅଧିକ ଧରି ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ସେସୁ ଜିଏମ୍, ଶ୍ରମିକ ନେତା, ପ୍ରଶାସନିକ ଅଧିକାରୀ ଓ ବିଦ୍ୟୁତ୍ କର୍ମଚାରୀଙ୍କ ଉପସ୍ଥିତିରେ ଆଲୋଚନା ସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ‌କ୍ଷତିପୂରଣ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଫଳରେ ଆଜି ସଂଧ୍ୟା ପ୍ରାୟ ୬ଟାରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସଦର ଥାନା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢ଼ି ପବିତ୍ର ତାର ସଂଯୋଗ କରୁଥିଲେ। ଏହି ସମୟରେ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ପବିତ୍ର ବିଦ୍ୟୁତ୍ ଆଘାତ ପାଇ ତଳେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପବିତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତଥାପି କ୍ଷତିପୂରଣକୁ ନେଇ କୌଣସି ସ୍ପଷ୍ଟ ପ୍ରତିଶ୍ରୁତି ନପାଇବାରୁ ପୁରୀ ଜିଲ୍ଲା ବିଦ୍ୟୁତ୍ କର୍ମଚାରୀମାନେ ଆଜି ସକାଳୁ ଆନ୍ଦୋଳନକୁ ଓହ୍ଲାଇଥିଲେ। କାର୍ଯ୍ୟବନ୍ଦ ଡାକରା ଦେଇ ସେସୁ କାର୍ଯ୍ୟାଳୟ ଓ ବିଦ୍ୟୁତ୍ ନିୟନ୍ତ୍ରଣ କକ୍ଷ ସମ୍ମୁଖରେ ଧାରଣାରେ ବସିଥିଲେ। ସଂପୃକ୍ତ ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଅଡ଼ି ବସିଥିଲେ। ଫଳରେ ଦିନକ ତଳେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ଶ୍ରୀମନ୍ଦିର, ବଡ଼ଦାଣ୍ଡ ସମେତ ଅନ୍ୟାନ୍ୟ ସ୍ଥାନକୁ ପୁଣି ଥରେ ବିଦ୍ୟୁତ୍ ସେବା ବନ୍ଦ ହୋଇଯାଇଥିଲା। ସେପଟେ ନିୟନ୍ତ୍ରଣ କକ୍ଷକୁ ବି ବିଦ୍ୟୁତ୍ କର୍ମଚାରୀମାନେ ବିଦ୍ୟୁତ୍ ସରବରାହ ବନ୍ଦ ରଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ବି ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶେଷରେ ସେସୁ ଜିଏମ୍, ଶ୍ରମିକ ନେତା ଶ୍ରୀ ନାୟକଙ୍କ ସହ ପ୍ରଶାସନିକ ଅଧିକାରୀମାନେ ମିଳିତ ଆଲୋଚନା କରି କ୍ଷତିପୂରଣ ପ୍ରତିଶ୍ରୁତି ଦେଇଥିଲେ। ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ଲକ୍ଷ ଟଙ୍କା, ସେସୁ ପକ୍ଷରୁ ୫ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସହାୟତା, ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଅପରାହ୍ଣରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସଂଧ୍ୟା ୬ଟା ପରେ ବଡ଼ଦାଣ୍ଡ ସମେତ ଅନ୍ୟାନ୍ୟ ସ୍ଥାନ ଆଲୋକିତ ହୋଇଥିଲା।

ସମ୍ବନ୍ଧିତ ଖବର